କୋଭିଡ ଲଢ଼େଇରେ ଏମସିଏଲ 170 କୋଟିରୁ ଅଧିକ ଖର୍ଚ୍ଚ କଲାଣି

ସମ୍ବଲପୁର: କୋଭିଡ ମହାମାରୀ ବେଳେ ରାଜ୍ୟର ଉଜୁଡା ସ୍ୱାସ୍ୱାବସ୍ଥାକୁ ସଜାଡିବା ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ ସହଯୋଗ କରୁଛନ୍ତି କର୍ପୋରେଟ୍ ସଂସ୍ଥା। ଆଉ ଏହି କ୍ରମରେ ଏମସିଏଲ ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ ହସ୍ପିଟାଲ ପାଇଁ ପାଣ୍ଠି ଯୋଗାଉଛି। ଆଉ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ କମ୍ପାନୀ 32 କୋଟିରୁ ଅଧିକ ଟଙ୍କା କୋଭିଡ ଲଢ଼େଇରେ ଖର୍ଚ୍ଚ କରିଥିବା ସୂଚନା ରହିଛି।
ଗତ ଆର୍ଥିକ ବର୍ଷ 2020-21 ମଧ୍ୟରେ ରାଜ୍ୟରେ ଏମସିଏଲ 135 କୋଟି ଟଙ୍କା ଖର୍ଚ୍ଚ କରିଥିଲା। କରୋନା ମୁକାବିଲା ପାଇଁ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଏବଂ ଅନୁଗୋଳ ଜିଲ୍ଲାକୁ କମ୍ପାନୀ 200 ଅକ୍ସିଜେନ ସିଲିଣ୍ଡର ଏବଂ କନସେନଟ୍ରେଟର ଯୋଗାଇଛି।
ଏମସିଏଲ ଅଧକାରୀ କେଶବ ରାଓ ରାଜ୍ୟ ସରକାରଙ୍କୁ ନିକଟରେ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ଅନୁଗୋଳ, ସମ୍ବଲପୁର,ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାରେ ଥିବା ପାଞ୍ଚଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାକରଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। କମ୍ପାନୀର କଣ୍ଟ୍ରାକ୍ଟର, ଶ୍ରମିକ, ସେମାନଙ୍କ ପରିବାର ସଦସ୍ୟଙ୍କୁ ଶୀଘ୍ର ଟିକା ଯୋଗାଇବାକୁ କହିଛନ୍ତି। ଏମଏସିଏଲ କରୋନାରେ 18 ଜଣ କର୍ମଚାରୀଙ୍କୁ ହରାଇ ସାରିଥିବାବେଳେ 420 ଅଧିକାରୀ ଏବଂ କର୍ମଚାରୀ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ସେ କହିଛନ୍ତି।
ଦେଶର ମୋଟ୍ କୋଇଲା ଉତ୍ପାଦନରେ ପ୍ରାୟ 20% ଯୋଗଦାନ ରଖୁଥିବା ଏମସିଏଲ ରାଜ୍ୟରେ ମୋଟ 1405 ବେଡ୍ କ୍ଷମତା ବିଶିଷ୍ଟ ହସ୍ପିଟାଲ ଏବଂ ପରିଚାଳନା ପାଇଁ ସହାୟତା କରିଛି। ଯେଉଁଥିରେ ଆଇସିୟୁ କେବଳ 189ଟି ରହିଛି।




