?????

ଓବିସି ଜନଗଣନା ବିଳମ୍ବ, ଆନ୍ଦୋଳନର ଚେତାବନୀ ଦେଲା ବିଜେପି

ଜେଏସଜିଲାଇଭ ବ୍ୟୁରୋ: ଓବିସି ଜନଗଣନାରେ ବିଳମ୍ବ ହେଉଥିବା କହି ରାଜ୍ୟ ସରକାରଙ୍କୁ ବିରୋଧୀ ବିଜେପି ଚେତାବନୀ ଦେଇଛି। ଯଦି ରାଜ୍ୟ ସରକାର ତୁରନ୍ତ ଓବିସିଙ୍କର ଜନ ଗଣନା ନକରନ୍ତି ତେବେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛି। ଓବିସି ସର୍ଭେ କାହିଁକି ହେଉନାହିଁ ବୋଲି ଇତିମଧ୍ୟରେ ଓବିସି କମିଶନଙ୍କ ପାଖରେ ୪ଥର ବିଜେପି ଅଭିଯୋଗ କରିଛି। ହେଲେ ଏହାର କୌଣସି ଲାଭ ହୋଇନାହିଁ। ବରଂ କମିଶନ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି। କାରଣ ସରକାର ତାଙ୍କୁ ସହଯୋଗ କରୁନାହାନ୍ତି ବୋଲି ବିଜେପି ଓବିସି ମୋର୍ଟ୍ଟାର ସଭାପତି ସୁରଥ ବିଶ୍ବାଳ ପ୍ରେସମିଟ୍ କରି ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ଗତକାଲି ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିଲା ବିଜେପି ଓବିସି ମୋର୍ଚ୍ଚା। ଆଉ ନିଜର ଦାବି ବାବଦରେ ଅବଗତ କରାଯାଇଛି। ସର୍ଭେ  ନହେଲେ ପଛୁଆ ବର୍ଗ ବିଭିନ୍ନ କ୍ଷେତ୍ରରେ ବଞ୍ଚିତ ହେବେ। ଏପରି ଠିକ୍ କି ବୋଲି ସେ ପ୍ରଶ୍ନ କରିଥିଲେ। ଶାସକ ଦଳର କିଛି ମୁଷ୍ଟି ମେୟ ନେତା ଜାଣିଶୁଣି ଓବିସିଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରୁଛନ୍ତି ବୋଲି ସୁରଥ ବିଶ୍ବାଳ କହିଛନ୍ତି। ରାଜ୍ୟ ସରକାର କହୁଛନ୍ତି କେନ୍ଦ୍ର କହିବ କେଉଁ ଜାତି କେତେ। ହେଲେ ରାଜ୍ୟ ସରକାର ସ୍ଥିର କରିବା କଥା କେଉଁ ଜାତି ଓବିସି ଓ ଏସସିବିସିରେ ରହିବେ ବୋଲି ସୁରଥ ବିଶ୍ୱାଳ କହିଛନ୍ତି। ଯଦି ଓବିସି ସର୍ଭେ ନହେବ ତାହେଲେ ୫୪ ପ୍ରତିଶତ ଲୋକ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବିଶ୍ବାଳ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ହୋଇଥିଲା। ଏହାପରେ ଓବିସି ଜନଗଣନା ପ୍ରସଙ୍ଗ ଉଠିଛି। ରାଜ୍ୟରେ ପ୍ରକୃତରେ ପଛୁଆ ବର୍ଗଙ୍କ ସଂଖ୍ୟା କେତେ ତାହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛି ବିଜେପି। ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟଙ୍କୁ କହିଥିଲେ ଯେ ଓବିସି ଜନସଂଖ୍ୟା ସମ୍ପର୍କରେ ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ। କିନ୍ତୁ ରାଜ୍ୟର ମୋଟ୍ ଜନସଂଖ୍ୟାର ୫୪ ପ୍ରତିଶତ ବା ପାଖାପାଖି ୨.୫ କୋଟି ଲୋକ ଏହି ବର୍ଗର ଅଟନ୍ତି।

ନିକଟରେ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ ୨୦ଟି ଜାତିକୁ ରାଜ୍ୟ ଓବିସି ତାଲିକାରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିଛନ୍ତି। ଜାତୀୟ ପଛୁଆବର୍ଗ ଆୟୋଗରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ୨୦୦ଟି ଜାତି ଓବିସି ଅଧୀନରେ ତାଲିକାଭୁକ୍ତ ରହିଛନ୍ତି।

 

Related Articles

Leave a Reply

Back to top button
error: Content is protected !!