?????

ପଶ୍ଚିମ ଓଡ଼ିଶାରେ ତିଆରି ହେବ ରାଜ୍ୟର ତୃତୀୟ କ୍ୟାନସର ହସ୍ପିଟାଲ

ବରଗଡ଼: ପୂରଣ ହେଲା ପଶ୍ଚିମ ଓଡ଼ିଶାର ଅନ୍ୟତମ ଜିଲ୍ଲା ବରଗଡ଼ବାସୀଙ୍କ ସ୍ୱପ୍ନ। ଦୀର୍ଘ ଦିନ ଧରି ଜିଲ୍ଲାରେ କ୍ୟାନସର ହସ୍ପିଟାଲ ତିଆରି ନେଇ ଯେଉଁ ତର୍କ ବିତର୍କ ଲାଗି ରହିଥିଲା ସେଥିରେ ଏବେ ଫୁଲଷ୍ଟପ ପଡ଼ିବାକୁ ଯାଉଛି। ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଜିଲ୍ଲାରେ କ୍ୟାନସର ହସ୍ପିଟାଲ ତିଆରି ହେବାକୁ ଯାଉଛି। ଏଥିପାଇଁ ରାଜ୍ୟର ନବୀନ ସରକାର 90.27 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଟଙ୍କାରେ କେବଳ 5 ମହଲା ହସ୍ପିଟାଲ ସହିତ ଭିତ୍ତିଭୂମି ତିଆରି ହେବ। ହସ୍ପିଟାଲ ତିଆରି ସରିଲେ ଉପକରଣ ବାବାଦକୁ ଆଉ 30 କୋଟି ଟଙ୍କା ରାଜ୍ୟ ସରକାର ଅନୁମୋଦନ ଦେବେ। ଯେଉଁଥିରେ ଚିକିତ୍ସାରେ ବ୍ୟବହାର ହେବାକୁ ଥିବା ଉପକରଣ କିଣାଯିବ।

କହିରଖୁଛୁ ପଞ୍ଜାବର ଭାଟିଣ୍ଡା ପରେ ଦେଶର ଦ୍ୱିତୀୟ ସର୍ବାଧିକ କ୍ୟାନସର ଆକ୍ରାନ୍ତ ବରଗଡ଼ରୁ ହିଁ ଚିହ୍ନଟ ହୁଅନ୍ତି। ପ୍ରତିବର୍ଷ ବରଗଡ଼ର ଅନେକ ଲୋକ କ୍ୟାନସରରେ ଆକ୍ରାନ୍ତ ହୋଇ ପ୍ରାଣ ହରାନ୍ତି। ଅଧିକାଂଶ ଲୋକଙ୍କର ଆର୍ଥିକ ବ୍ୟବସ୍ଥା ସ୍ୱଚ୍ଛଳ ନଥିବାରୁ ଚିକିତ୍ସା କରାଇ ନପାରି ପ୍ରାଣ ହରାନ୍ତି। ତେଣୁ ଜିଲ୍ଲାରେ ଏକ କ୍ୟାନସର ହସ୍ପିଟାଲ ତିଆରି କରିବାକୁ ବରଗଡ଼ବାସୀଙ୍କ ପାଖରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଏବଂ ନେତା ମାନେ ଦାବି କରି ଆସୁଥିଲେ।

ପୂର୍ବରୁ କଟକ ଏବଂ ଭୁବନେଶ୍ୱରରେ ଦୁଇଟି କ୍ୟାନସର ହସ୍ପିଟାଲ ରହିଥିବାବେଳେ ଏବେ ବରଗଡ଼ରେ ତୃତୀୟ କ୍ୟାନସର ହସ୍ପିଟାଲ ତିଆରି ହେବାକୁ ଯାଉଛି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଏପ୍ରିଲ 16ରେ ବରଗଡ଼ କ୍ୟାନସର କେୟାର ହସ୍ପିଟାଲ ପାଇଁ ସ୍ୱାସ୍ଥ୍ୟ ବିଭାଗ 10.49 କୋଟି ଟଙ୍କା ମଂଜୁର କରିଥିଲେ। କିନ୍ତୁ ଲୋକମାନେ ଏବଂ ଜନପ୍ରତିନିଧିଙ୍କ ପୁନଃ ଅନୁରୋଧ କ୍ରମେ ପୂର୍ଣ୍ଣାଙ୍ଗ କ୍ୟାନସର କେୟାର ସେଣ୍ଟର ପାଇଁ ପୁନଃ ଆକଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପରେ ଏକ ଉଚ୍ଚସ୍ତରୀୟ କମିଟି ବରଗଡ଼ ଆସି ପୂର୍ଣ୍ଣାଙ୍ଗ ହସ୍ପିଟାଲର ଆକଳନ କରିଥିଲେ। ଆଉ ଏବେ ଏହି ମଞ୍ଜୁର ହୋଇଥିବା 10.49 କୋଟି ରାଶି ବଢ଼ି 90 କୋଟି କରିଛନ୍ତି ସରକାର।

Related Articles

Leave a Reply

Back to top button
error: Content is protected !!