?????

ରଦ୍ଦ ହେଲା ତିନି କୃଷି ଆଇନ୍, ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଶୁକ୍ରବାର  ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଠାତ୍ ଦେଶବାସୀଙ୍କୁ ସମ୍ବୋଧିତ କରି ଘୋଷଣା କରିଛନ୍ତି ଯେ ସେପ୍ଟେମ୍ବର 2020ରେ ପାରିତ ହୋଇଥିବା ତିନି କୃଷି ଆଇନକୁ କେନ୍ଦ୍ର ସରକାର ରଦ୍ଦ କରିଛନ୍ତି। ଯାହାକୁ ଦିଲ୍ଲୀ ସୀମାରେ ବସିଥିବା ରାଜ୍ୟର କିଛି ଚାଷୀ ବିରୋଧ କରି ଆସୁଛନ୍ତି।

ତିନି କୃଷି ଆଇନ୍ ପ୍ରତ୍ୟାହାର କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି। ସବୁଠୁ ବଡ କଥା ହେଲା ଚାଷୀଙ୍କ ଆନ୍ଦୋଳନକୁ ଇତି ମଧ୍ୟରେ ବର୍ଷେ ପୂରଣ ହୋଇଛି । ଡିସେମ୍ବରରେ ଶୀତ ଅଧିବେଶନ ବସିବାକୁ ଯାଉଥିବା ବେଳେ ଆନ୍ଦୋଳନକାରୀ ଚାଷୀ ସଂସଦ ଘେରିବାକୁ ଯୋଜନା କରିଥିଲେ। ହେଲେ ଏହା ପୂର୍ବରୁ କେନ୍ଦ୍ର ସରକାର ତିନି କୃଷି ଆଇନ ପ୍ରତ୍ୟାହାର କରିଛନ୍ତି। ଆଉ ଦୀର୍ଘ ଦିନ ଧରି ଚାଷୀ ଯେଉଁ ଆନ୍ଦୋଳନ କରୁଥିଲେ ସେଥିରେ ବିଜୟୀ ହୋଇଛନ୍ତି।

ମୋଦୀ କହିଛନ୍ତି ଯେ ତାଙ୍କ ସରକାର ଭାରତର କୃଷକମାନଙ୍କୁ ଉନ୍ନତ କରିଛନ୍ତି ଏବଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ “ସବୁକିଛି ସମ୍ଭବ” କରିଛନ୍ତି। ସେ କହିଥିଲେ “ଏହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ଆମେ ଏହି ଆଇନର ଲାଭ ସବୁ ଚାଷୀଙ୍କୁ ବୁଝାଇବାରେ ସକ୍ଷମ ହୋଇ ନାହୁଁ। ଆମେ ବିଭିନ୍ନ ମାଧ୍ୟମ ବ୍ୟବହାର କରି ଚେଷ୍ଟା କରିଛୁ ଏବଂ ଆଲୋଚନା ଚାଲିଛି। ଆମେ ସେମାନଙ୍କର ଯୁକ୍ତି ଶୁଣିଛୁ ଏବଂ ବୁଝିଛୁ। ଆମେ କିଛି ବ୍ୟବସ୍ଥା ପରିବର୍ତ୍ତନ କରିବାକୁ ମଧ୍ୟ ପ୍ରସ୍ତୁତ ଥିଲୁ ଏବଂ ଏହି ନିୟମକୁ ଦୁଇ ବର୍ଷ ପାଇଁ ସ୍ଥଗିତ ରଖିଥିଲୁ। ଏହି ମାମଲା ସୁପ୍ରିମକୋର୍ଟରେ ମଧ୍ୟ ଅଛି। ”

“ମୁଁ ଦେଶ ପାଇଁ କ୍ଷମା ପ୍ରାର୍ଥନା କରୁଛି, କାରଣ ଆମର ପ୍ରୟାସରେ କିଛି ଅଭାବ ଥିବା ପରି ମନେ ହେଉଛି, ଯେଉଁଥିପାଇଁ ଆମେ କିଛି ଚାଷୀଙ୍କୁ ସତ୍ୟ ବୁଝାଇ ପାରିଲୁନାହିଁ। ଆଜି ହେଉଛି ଗୁରୁ ନାନକ ଜୟନ୍ତୀ ଏବଂ କାହାକୁ ଦୋଷ ଦେବାର ସମୟ ନୁହେଁ। ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହେଁ ଯେ ଆମେ ଏହି ନିୟମଗୁଡିକ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛୁ। ମୁଁ ଆଶା କରୁଛି ବିରୋଧୀ ଚାଷୀମାନେ ବର୍ତ୍ତମାନ ନିଜ ଘରକୁ ଫେରିବେ, ନିଜ ଚାଷଜମିକୁ ଫେରିବେ। ”

ଶୁକ୍ରବାର ସକାଳେ ମୋଦୀ ତାଙ୍କ ଭାଷଣର ପ୍ରାରମ୍ଭ ଭାଗରେ ଏପରି ଉଦବୋଧନ ଦେଇ ଚାଷୀଙ୍କ ସହ ଘନିଷ୍ଠତା ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ। “ମୋ ଜୀବନର ପାଞ୍ଚ ଦଶନ୍ଧି ମଧ୍ୟରେ ମୁଁ କୃଷକଙ୍କ ସଂଘର୍ଷର ନିକଟତର ହୋଇଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ମୋ ସରକାର କୃଷକଙ୍କ ସମସ୍ୟାକୁ ପ୍ରାଥମିକତା ଦେଇଥିଲେ। ”

ବର୍ଷରେ ଅଧିକ ସମୟ ଧରି ଦିଲ୍ଲୀର ସୀମାରେ କୃଷକମାନେ ମୋଦୀ ସରକାରଙ୍କୁ ଅଣଦେଖା କରିବା ସରକାର ପାଇଁ ବଡ କଣ୍ଟା ହୋଇଥିବା ଜଣାପଡିଛି। ଦେଶର ବିରୋଧୀ ଦଳ ମଧ୍ୟ କୃଷକଙ୍କ ବିରୋଧକୁ ସମର୍ଥନ କରିଛନ୍ତି। କୃଷକମାନେ ମଧ୍ୟ ଏହାକୁ ଏକ ନିର୍ବାଚନୀ ପ୍ରସଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ବିରୁଦ୍ଧରେ ଜୋରଦାର ପ୍ରଚାର କରିଥିଲେ।

ଆସନ୍ତା ବର୍ଷ ଆରମ୍ଭରେ ପଞ୍ଜାବ, ହରିଆଣା ଏବଂ ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ନିର୍ବାଚନ ରହିଛି । ମତଦାନ ହେବାକୁ ଥିବା ଅଧିକାଂଶ ରାଜ୍ୟରେ ସରକାରରେ ବିଜେପି ରହିଛି। ଅଧିକାଂଶ ନିର୍ବାଚନ ରଣନୀତିଜ୍ଞ ବିଶ୍ୱାସ କରୁଥିଲେ ଯେ ଚାଷୀ ଆନ୍ଦୋଳନ ପାଇଁ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ଭୋଟରଙ୍କ ବିରୋଧର ଶିକାର ହେବ।

ସୂଚନାଯୋଗ୍ୟ, ନିକଟରେ ବିଭିନ୍ନ ରାଜ୍ୟରେ ଉପନିର୍ବାଚନ ହୋଇଥିଲା । ଯେଉଁଥିରେ ବିଜେପି ପ୍ରାର୍ଥୀମାନେ ଅମାନତ ହାରିଥିଲେ। ଏହାପର ଦିନ ପେଟ୍ରୋଲ ଏବଂ ଡିଜେଲ ଦରରୁ ଉତ୍ପାଦନ ଶ୍କୁକ ହ୍ରାସ କରିଥିଲେ ସରକାର।

Related Articles

Leave a Reply

Back to top button
error: Content is protected !!