ଆଇଆଇଏମ୍ ସମ୍ୱଲପୁର ସହିତ ହାତ ମିଳାଇଲା ଫ୍ଲିପକାର୍ଟ, ବଢ଼ିବ ଓଡ଼ିଶା ହ୍ୟାଣ୍ଡଲୁମର ଚାହିଦା

ଭୁବନେଶ୍ୱର: ଶନିବାର ଇ କମର୍ସ କମ୍ପାନୀ ଫ୍ଲିପକାର୍ଟ ଏବଂ ଆଇଆଇଏମ୍ ସମ୍ବଲପୁର ଏକ ବଡ଼ ଘୋଷଣା କରିଛନ୍ତି। ଯାହାକି ଛୋଟିଆ ବ୍ୟବସାୟ, କାରିଗର ଏବଂ ହସ୍ତତନ୍ତ ବୁଣାକାରଙ୍କୁ ପ୍ରୋତ୍ସାହିତ କରିବ। ଉଭୟ ସହଭାଗିତାରେ ଏହି ହସ୍ତତନ୍ତକୁ ଆଗକୁ ବଢ଼ାଇବେ ବୋଲି ଘୋଷଣା କରିଛନ୍ତି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଫ୍ଲିପକାର୍ଟ କମ୍ପାନୀ ଏବଂ ଆଇଆଇଏମ୍ ସମ୍ୱଲପୁର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ।
ନ୍ୟାଶନାଲ ହ୍ୟାଣ୍ଡଲୁମ୍ ଦିବସରେ ଘୋଷଣା ହୋଇଥିବା ଏହି ସହଭାଗୀତା ମାଧ୍ୟମରେ ଆଇଆଇଏମ ସମ୍ବଲପୁର ଏବଂ ଫ୍ଲିପକାର୍ଟ ଉଭୟ ନିଜ ନିଜର ବୈଷୟିକ ଜ୍ଞାନକୁ ଉପଯୋଗ କରିବେ।
ରାଜ୍ୟରେ ହସ୍ତତନ୍ତ ଶିଳ୍ପ ବହୁତ ପୁରୁଣା। ହେଲେ ଆଜିର ବଜାରରେ ଏହି ବୁଣାକାରଙ୍କ ଦ୍ୱାରା ତିଆରି ହେଉଥିବା ବିଭିନ୍ନ ଜିନିଷ ଉପଲବ୍ଧ ହୋଇପାରୁ ନାହିଁ। ଏହାର ପ୍ରମୁଖ କାରଣ ପ୍ରୋତ୍ସାହନର ଅଭାବ। ତେଣୁ ଏହି ବୁଝାମଣାପତ୍ର ଆଗାମୀ ଦିନରେ ରାଜ୍ୟ ତଥା ଦେଶର ହସ୍ତତନ୍ତ ଶିଳ୍ପ ଆଗକୁ ବଢ଼ାଇବା ସହିତ ବୁଣାକାରଙ୍କ ଭାଗ୍ୟ ପରିବର୍ତ୍ତନ କରିବ ବୋଲି କୁହାଯାଉଛି।
ଆଇଆଇଏମ୍ ସମ୍ବଲପୁର ନିର୍ଦ୍ଦେଶକ ମହାଦେଓ ପ୍ରସାଦ ଜୟସୱାଲ କହିଛନ୍ତି ଯେ ଆଗାମୀ ଦିନରେ ହେବାକୁ ଥିବା ବୁଝାମଣା ପତ୍ର ଜରିଆରେ ଆମେ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବୁ। ସମଗ୍ର ଭାରତରେ ଥିବା ହସ୍ତତନ୍ତ ଶିଳ୍ପକୁ ଫ୍ଲିପକାର୍ଟ ସହ ଯୋଡ଼ିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି।