କରୋନା ଦୁର୍ବଳ ହେଲେ ମଧ୍ୟ ସକ୍ରିୟ ରହିଛି: ଆଇଏଲଏସ

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମିତଙ୍କ ଯଦିଓ କମିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ ମହାମାରୀ ଶେଷ ହୋଇନି। ତେଣୁ ଲୋକେ ସତର୍କ ରହିବା ଆବଶ୍ୟକ। ଇନଷ୍ଟିଚ୍ୟଟ ଅଫ୍ ଲାଇଫ ସାଇନ୍ସ ବା ଆଇଏଲ୍ଏସର ନିର୍ଦ୍ଦେଶକ ଅଜୟ ପରିଡ଼ା ଗୁରୁବାର ଏପରି କହି ସମସ୍ତଙ୍କୁ ପୁଣିଥରେ ସତର୍କ କରାଇ ଦେଇଛନ୍ତି।
ଆଇଏଲଏଏସ ଭୁବନେଶ୍ୱର ନିର୍ଦ୍ଦେଶକ କହିଛନ୍ତି, କରୋନା ସମ୍ପୂର୍ଣ୍ଣ ଭାବେ କମି ନାହିଁ, ତେଣୁ ଲୋକେ ବେଫିକର ହୋଇ ରହିବା ଉଚିତ ନୁହେଁ। କୋଭିଡ୍ ପାଇଁ ଆବଶ୍ୟକ ନିୟମ ପାଳନ ଅନୁପାଳନ ଜାରି ରଖିବା ଉଚିତ ବୋଲି ସେ କହିଛନ୍ତି।
ତେବେ କରୋନାର ନୂଆ ଭାରିଆଣ୍ଟ ନେଇ ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି, କରୋନାର ନୂଆ ଭ୍ୟାରିଆଣ୍ଟ ଆସି ସାରିଛି। ଏକ୍ସଇ ଭାରିଆଣ୍ଟ ଡେଲ୍ଟା ଏବଂ ଓମିକ୍ରନ୍ ଭାରିଆଣ୍ଟରୁ ଆସିଛି। ଏଥିରୁ ବିଭିନ୍ନ ପ୍ରକାରର ମ୍ୟୁଟେସନ୍ ହୋଇପାରେ । କେବଳ ଜିନୋମ୍ ସିକ୍ୱେନ୍ସିଂ ମାଧ୍ୟମରେ ହିଁ ନୂଆ ଭାଇରସକୁ ଚିହ୍ନଟ କରିହେବ ।
ମାର୍ଚ୍ଚ ଶେଷ ସୁଦ୍ଧା ଜିନୋମ୍ ସିକୁଏନସିଂ ତଥ୍ୟ ଅନୁୟାୟୀ ଭାରତରେ କରୋନାର ଶତ ପ୍ରତିଶତ ଓମିକ୍ରନ୍ ଭାରିଆଣ୍ଟ ଥିଲା। କିନ୍ତୁ ଏବେ ଯେଉଁ ନୂଆ ଭାରିଆଣ୍ଟ ତାକୁ ଏକ୍ସଇ ସିରିଜ୍ କୁହାଯାଉଛି। ଏହି ଭାରିଆଣ୍ଟର ସଂକ୍ରମଣ ହାର ଅଧିକ ନୁହେଁ । ତେଣୁ ଏହାକୁ ନେଇ ଭୟ କରିବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଭାରତରେ ପ୍ରାୟତଃ ସମସ୍ତେ ଡବଲ ଡୋଜ୍ ଟିକା ନେଇସାରିଛନ୍ତି । ତେଣୁ ଓମିକ୍ରନ ଭାରିଆଣ୍ଟ ଦେଶରେ ବିଶେଷ ପ୍ରଭାବ ପକାଇ ପାରିନଥିଲା। ତେଣୁ ଯୋଗ୍ୟ ବ୍ୟକ୍ତିମାନେ ବୁଷ୍ଟର ଡୋଜ ନେଇ ସୁରକ୍ଷିତ ରହିବା ଆବଶ୍ୟକ ।