71.90 ପ୍ରତିଶତ ମତଦାନ ସହ ଶେଷ ହେଲା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ

ଝାରସୁଗୁଡ଼ା: ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ। ମୋଟ 279ଟି ବୁଥରେ 71.90 ପ୍ରତିଶତ ମତଦାନ ହୋଇଛି। ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ପୂର୍ବାହ୍ନ 11ଟା ସୁଦ୍ଧା 32% ମତଦାନ ହୋଇଥିଲା। ସନ୍ଧ୍ୟା 6ଟାରେ ନିୟମ ଅନୁଯାୟୀ ମତଦାନ ଶେଷ ହୋଇଥିଲା।
ଏହି ମତଦାନ ବେଳେ ଅନେକ ଭୋଟର ପ୍ରଥମ ଥର ପାଇଁ ଭୋଟ୍ ଦେଇଥିଲେ। ମହିଳା ଭୋଟରଙ୍କୁ ଅଧିକରୁ ଅଧିକ ମତଦାନରେ ସାମିଲ କରିବା ପାଇଁ ପାଞ୍ଚଟି ପିଙ୍କ୍ ବୁଥ୍ କରାଯାଇଥିଲା। ଏପରିକି 30ଟି ଆଦର୍ଶ ମତଦାନ କେନ୍ଦ୍ରରେ ବିଭିନ୍ନ ସୁବିଧା ସୁଯୋଗ ଉପଲବ୍ଧ କରାଯାଇଥିଲା। ସେହିପରି ପ୍ରବଳ ଖରା ହେଉଥିବାରୁ ବିଭିନ୍ନ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ମତଦାନ କେନ୍ଦ୍ରରେ ବହୁ ଛାତ୍ର ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଥିଲା । ଯେଉଁମାନେ ବରିଷ୍ଠ ନାଗରିକ ଏବଂ ଅନ୍ୟାନ୍ୟ ଅସହାୟ ଲୋକଙ୍କୁ ସହାୟତା କରୁଥିଲେ। ପ୍ରଚଣ୍ଡ ଖରାକୁ ଆଖି ଆଗରେ ରଖି ବିଭିନ୍ନ ମତଦାନ କେନ୍ଦ୍ରରେ ଥଣ୍ଡା ପାନୀୟ ଜଳ ସମେତ ବ୍ୟବସ୍ଥା କରାଯାଇଥିଲା।
ଲଖନପୁର ଜଣେ ପ୍ରଥମ ଥରର ଭୋଟର ରୀମା ସାହୁ କହିଛନ୍ତି, ମୁଁ ଭୋଟ୍ ଦେବାକୁ ଆସିଛି, ଭଲ ଲାଗିଲା ଯେ ମୁଁ ଏହି ଭୋଟ୍ ପ୍ରକ୍ରିୟାରେ ସାମିଲ ହୋଇଛି। କେବେ ଭୋଟ୍ ଦେଇନଥିଲି । ତେଣୁ ପ୍ରଥମ ଥର ଭୋଟ୍ ଦେବା ବେଳେ ଟିକେ ଡର ଲାଗୁଥିଲା। ଭୋଟ୍ ଦେବା ପରେ କିନ୍ତୁ ଭଲ ଲାଗିଲା। ଯିଏ ନିର୍ବାଚିତ ହେବେ ସେ ଆମ ଅଞ୍ଚଳ ପାଇଁ କାମ କରିବେ । ଆମ ସମସ୍ୟା ଶୁଣିବେ ବୋଲି ଭାବି ମୁଁ ମୋର ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛି ।
ସେହିପରି ବନ୍ଧମାଳର ପ୍ରଭାସିନି ସାହୁ କହିଛନ୍ତି, ମୁଁ ସେହି ବ୍ୟକ୍ତିଙ୍କୁ ଭୋଟ ଦେଇଛି ଯିଏ ଆମ ବ୍ରଜରାଜନଗର ଅଞ୍ଚଳର ସର୍ବାଙ୍ଗୀନ ବିକାଶ କରିବେ। ମୁଁ ପ୍ରାର୍ଥୀଙ୍କୁ ଦେଖି ଭୋଟ୍ ଦେଇଛି, ଦଳକୁ ନୁହେଁ।
ଭୋଟିଂ ବେଳେ କିନ୍ତୁ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ବ୍ରଜରାଜନଗରରେ ଲଖନପୁର ବ୍ଲକ ପାଣ୍ଡ୍ରି ପଞ୍ଚାୟତର ବେଙ୍କମୁରା ଗାଁରେ 272 ଜଣ ଭୋଟର ରୁହନ୍ତି । ଏହି ଗାଁରେ ଗତ ଦୁଇ ବର୍ଷ ଧରି ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍ ଥିବାରୁ ଏଠାର ଥିବା ସରକାରୀ ସ୍କୁଲକୁ ବନ୍ଦ କରିଦେଇଛନ୍ତି ସରକାର । ଏବେ ପୁଣିଥରେ ସ୍କୁଲ ଖୋଲିବା ପାଇଁ ଦାବି କରି ଏହି ଉପ-ନିର୍ବାଚନକୁ ବର୍ଜନ କରିଛନ୍ତି ଏଠିକାର ଭୋଟର।
ତେବେ ଉପ-ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଗ୍ରାମବାସୀଙ୍କୁ ଭେଟି ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଆଲୋଚନା ବିଫଳ ହେବାରୁ ସେମାନେ ଚଳିତ ନିର୍ବାଚନରେ ଅଂଶଗ୍ରହଣ କରିନଥିଲେ।
ଗାଁର ଜଣେ ବ୍ୟକ୍ତି ସବିତା ପ୍ରଧାନ କହିଛନ୍ତି, ଗତ ଦୁଇ ବର୍ଷ ହେଲା ଆମ ସ୍କୁଲ ବନ୍ଦ ଥିବାରୁ ଆମେ ଏହି ନିର୍ବାଚନକୁ ବର୍ଜନ କରିଛୁ, ଯେପର୍ଯ୍ୟନ୍ତ ଆମ ସ୍କୁଲ ନଖୋଲିବ ସେପର୍ଯ୍ୟନ୍ତ ଆମେ ଭୋଟରେ ଭାଗ ନେବୁ ନାହିଁ।