କେନ୍ଦ୍ରର ହସ୍ପିଟାଲ ନିର୍ମାଣ ପାଇଁ ଜମି ଯୋଗାଇ ଦେଉନି ରାଜ୍ୟ ସରକାର: ଟଙ୍କଧର
ଝାରସୁଗୁଡା: କେନ୍ଦ୍ର ସରକାର ଝାରସୁଗୁଡାରେ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଇଏସଆଇସି ଦ୍ବାରା ଏହି ହସ୍ପିଟାଲ ନିର୍ମାଣ ହେବ। କିନ୍ତୁ ରାଜ୍ୟ ସରକାର ଏହି ହସ୍ପିଟାଲ ପାଇଁ ଆବଶ୍ୟକ ଜମି ଯୋଗାଇ ଦେଉନି ବୋଲି ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି।
ନିକଟରେ ଇଏସଆଇସି ତରଫରୁ ଝାରସୁଗୁଡ଼ା ବାଇ ପାସରେ ଥିବା ଇଡକୋର ଜମିରୁ ୫ ଏକର ଦେବା ପାଇଁ ଆବେଦନ କରାଯାଇଥିବା ସୂଚନା ରହିଛି। ହେଲେ ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେଇନଥିବା ସୂଚନା ରହିଛି। ଆଜି ଜିଲ୍ଲା ବିଜେପିର ଏକ ପ୍ରତିନିଧି ଦଳ ସଂପୃକ୍ତ ସ୍ଥାନ ବୁଲିଦେଖିଛନ୍ତି।
ଏହାପରେ ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ କହିଛନ୍ତି,ପୂର୍ବରୁ ହସ୍ପିଟାଲ ପାଇଁ ରାଜ୍ୟ ସରକାରଙ୍କୁ କୁହାଯାଇଥିଲା। ହେଲେ ଦେଇପାରିନଥିଲେ। ଏହାପରେ ଇଏସଆଇସି ନିକଟରେ ଯେଉଁ ଜମି ପାଇଁ ଆବେଦନ କରିଛି ତାହା ବହୁତ ଭଲ ସ୍ଥାନ। ତେଣୁ ରାଜ୍ୟ ସରକାର ତୁରନ୍ତ ଉକ୍ତ ଜମି ଯୋଗାଇ ଦେବା ଦରକାର। ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କେନ୍ଦ୍ର ସରକାରଙ୍କ ଝାରସୁଗୁଡ଼ାକୁ ଏକ ବଡ଼ ଉପହାର। ଏହି ହସ୍ପିଟାଲ ନିର୍ମାଣ ହେଲେ ଝାରସୁଗୁଡ଼ାର ଅନେକ ଗରିବ ଶ୍ରେଣୀର ଲୋକମାନେ ଉପକୃତ ହେବେ। ଆଉ ଏଠିକାର ଲୋକମାନେ ଭୀମସାର କିମ୍ବା ଅନ୍ୟ ହସ୍ପିଟାଲ ଉପରେ ଏତେଟା ନିର୍ଭର କରିବା ଦରକାର ପଡିବ ନାହିଁ।
ଏହି ହସ୍ପିଟାଲ ପାଇଁ ଟଙ୍କଧର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଏହି ହସ୍ପିଟାଲ ଆଜି ଝାରୁସୁଗୁଡାକୁ ମିଳିଛି ବୋଲି ଟଙ୍କଧର ଏହି ଅବସରରେ କହିଛନ୍ତି।