ଠିକାଦାରଙ୍କୁ ସୁରକ୍ଷା ଦେବାକୁ ଯାଇ ଲୋକଙ୍କୁ ନାଲି ଆଖି ଦେଖାଉଛି ସରକାର: ବିରୋଧୀ

0
117

ଭୁବନେଶ୍ୱର: ନୂଆ ପିଚୁ ପଡିଥିବା ରାସ୍ତାକୁ ମାସକ ଭିତରେ ଖୋଳିଲେ ହେବ କାର୍ଯ୍ୟାନୁଷ୍ଠାନ । ମଙ୍ଗଳବାର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ପ୍ରଦୀପ କୁମାର ସାମଲ ଏଭଳି ଚେତାବନୀ ଦେବା ପରେ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ସରକାରଙ୍କ ତ୍ରୁଟି ଧରିଲେ ଏ ସରକାର ଲୋକଙ୍କୁ ନାଲି ଆଖି ଦେଖାଉଛନ୍ତି ବୋଲି ବିରୋଧୀ କହିଛନ୍ତି। କିନ୍ତୁ ଯେଉଁ ଠିକାଦାର ନିମ୍ନ ମାନର କାମ କରୁଛି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ନେଇ ସରକାର ନିରବ ବୋଲି ବିରୋଧୀ କହିଛନ୍ତି।

ବିଜେପି ନେତା ପ୍ରଦୀପ ପୂରୋହିତ କହିଛନ୍ତି, ଯନ୍ତ୍ରୀଙ୍କର ଏପରି ନିର୍ଦ୍ଦେଶନାମା ଠିକାଦାରଙ୍କ ସୁରକ୍ଷା ପାଇଁ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଯେଉଁଠି ରାସ୍ତା କାମ ହେଉଛି ସେଠାରେ ଟେଣ୍ଡର ଫିକ୍ସି ହେଉଛି ସବୁ ଲୋକ ଜାଣନ୍ତି । ରାସ୍ତା କାମ ବେଳେ ପିଚୁ ଏବଂ ଅନ୍ୟାନ୍ୟ ସାମଗ୍ରୀ ଠିକ୍ ଭାବରେ ମିଶାଯାଉ ନାହିଁ । ଶାସକ ଦଳର ନେତା ଏବଂ ମନ୍ତ୍ରୀ ଠିକାଦାରଙ୍କ ଦ୍ୱାରା ବୋଧହୁଏ ଚାନ୍ଦା ଆଦାୟ କରୁଛନ୍ତି । ତେଣୁ ଠିକାଦାରଙ୍କୁ ସୁରକ୍ଷା ଦେବାକୁ ଯାଇ ଏପରି ଏକ ନିର୍ଦ୍ଦେଶନାମା ଜାରି କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ ।

କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ରାଜଧାନୀରେ ପୋଲ ଭୁଶୁଡି ପଡିଲା କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି । ଲୋକେ ନିମ୍ନ ମାନର କାମ ହୋଇଥିବା ହୃଦବୋଧ କରି ଖୋଳିଲେ । ଏଥିରେ କାର୍ଯ୍ୟାନୁଷ୍ଠାନ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି କାମ ନିମ୍ନ ମାନର ହୋଇଥିବ ତାହେଲେ ସେଇ ରାସ୍ତା ତିଆରି କରିଥିବା ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଗଲାନି, ବରଂ ଓଲଟା ଲୋକଙ୍କୁ ନାଲି ଆଖି ଦେଖାଇଲ । ପୂର୍ବରୁ ପିସି କାରବାର ବନ୍ଦ ହୋଇଗଲା ବୋଲି ଏ ସରକାର କହିଲେ । ଅନେକ ପ୍ରଶଂସା ଏ ସରକାର ସାଉଁଟିଲେ । ହେଲେ ଏବେ ଦେଖନ୍ତୁ ପିସି କାରବାର ବହୁତ ବଢିଛି । ନିମ୍ନ ମାନର କାମ ହେବାର ମୂଳ କାରଣ ହେଉଛି ପିସି କାରବାର ।

ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ନିମ୍ନ ମାନର କାମ ହେଉଛି ବୋଲି ନୁହେଁ, ଅନେକ କାମ କରିବା ବେଳେ ମଧ୍ୟ ଏପରି ହେଉଛି । ପାଣି ସଂଯୋଗ ପାଇଁ କାମ କରିବା ବେଳେ ମଧ୍ୟ ଏପରି ହେଉଛି । ତେଣୁ ଯନ୍ତ୍ରୀ ଏପରି ନିର୍ଦ୍ଦେଶ ଦେଇଥାଇପାରନ୍ତି ।

ତେବେ ଏପରି ନିର୍ଦ୍ଦେଶନାମା ଜାରି କରିଥିବା ଯନ୍ତ୍ରୀ ପ୍ରଦୀପ କୁମାର ସାମଲ କହିଛନ୍ତି, ନୂଆ ପିଚୁ ରାସ୍ତା ତିଆରି ହେବାର ମାସକ ଭିତରେ ରାସ୍ତା ଖୋଳା ହେଉଥିବାର ଅନେକ ନଜିର ରହିଛି । ଏହା ଏବେ ସବୁଠି ଦେଖିବାକୁ ମିଳିଛି । ତେଣୁ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି ।