ବିଆର ଆମ୍ବେଦକର ଜୟନ୍ତୀ ପାଳିତ

0
44

ଝାରସୁଗୁଡ଼ା: ଜିଲ୍ଲା ସ୍ତରରେ ସମ୍ବିଧାନ ପ୍ରଣେତା ବି ଆର ଆମ୍ବେଦକରଙ୍କ ଜୟନ୍ତୀ ପାଳିତ। ଏହି ଅବସରରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଓ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା। ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଭାରେ ସମସ୍ତ ଅତିଥି , ଆମନ୍ତ୍ରିତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଛାତ୍ରଛାତ୍ରୀ ଆମ୍ବେଦକରଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଜଣେ ସମାଜ ସୁଧାରକ ,ବିଶିଷ୍ଟ ଅର୍ଥନୀତିଜ୍ଞ , ଆଇନଜୀବୀ , ରାଜନେତା ଭାବରେ ସେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ ବୋଲି ଆୟୋଜିତ ସଭାରେ ବକ୍ତାମାନେ ମତ ବ୍ୟକ୍ତ କରିଥିଲେ ।

ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର ଅମାତ, ସାମାଜିକ କୁ-ସଂସ୍କାର , ଅନ୍ଧ ବିଶ୍ବାସ ଓ ଅଜ୍ଞାନତା ଦୂର କରିବା ଦିଗରେ ଆମ୍ବେଦକରଙ୍କ ଅବଦାନ ଅତୁଳନୀୟ ବୋଲି କହିବା ସହ ସମାଜରୁ ଛୁଆଁ ଅଛୁଆଁ ଭେଦଭାବ ଦୂର କରିବା ଦିଗରେ ମାନସିକ ସ୍ତରରେ ପରିବର୍ତ୍ତନର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ ।

ଲଷ୍ମୀନାରାୟଣ ମହାବିଦ୍ୟାଳୟ ଅଧ୍ୟକ୍ଷ ନରେନ୍ଦ୍ର ପଣ୍ଡା , ସାହିତ୍ୟ ଏକାଡେମୀ ସଦସ୍ୟା ଡ. ଶିବପ୍ରିୟା ମିଶ୍ର , ତାପସ ରାୟ ଚୌଧୁରୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା , ପ୍ରେମସାଗର ଦେହରିଆ ଓ ପ୍ରଣତି ପଟ୍ଟନାୟକ ପ୍ରମୁଖ ଜାତି ପ୍ରଥା , ଅସ୍ପୃଶ୍ୟତା , ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ବାବା ସାହେବ ଆମ୍ବେଦକରଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ।

ଏହି ଅବସରରେ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରଶଂସା ପତ୍ର ବିତରଣ କରଯାଇଥିଲା । ପିଣ୍ଟୁ ପାଢ଼ୀ , ରାଜଶ୍ରୀ ମେହେର ଓ ଅମ୍ବିକା ପ୍ରସାଦ ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସକାଳେ ସୁନାରି ମୁଣ୍ଡା ଛକସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ ମାଲ୍ୟାର୍ପଣ କରିଥିଲେ । ଜୟନ୍ତୀ ସମାରୋହ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଦ୍ୱାରା ସଂଚାଳିତ ହୋଇଥିଲା ବେଳେ ଭୁବନାନନ୍ଦ ବାଗ , ଅକ୍ଷୟ ସାହୁ , ରବିନ୍ଦ୍ର ନିଆଲ , ରାଜେଶ ସେଠ ଓ ଗୋପାଳ ବେରିହା ପ୍ରମୁଖ ସହଯୋଗ କରିଥିଲେ।