ପଂଚାୟତ ଲଢେଇ, ବିଜେପିକୁ ପଶ୍ଚିମ ଓଡିଶାରେ ଚେକ୍ ଦେବ ବିଜେଡି ?
ଭୁବନେଶ୍ୱର: ସୋମବାର ପାଖରୁ ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଦଳ ଦଳ ମଧ୍ୟରେ ପ୍ରାର୍ଥୀଙ୍କୁ ନେଇ ଛକାପଂଝା ଲାଗି ରହିଥିବା ବେଳେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ହାର ଜିତର ଅଙ୍କ ଭିତରେ ଟିକେଟ କଟିଯିବାର ଭୟ ଘାରିଛିି । ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରୁ ମିଳିଥିବା ସୂଚନା ଅନୁଯାୟୀ ୭୧୧୬ ଜଣ ୱାର୍ଡ ମେମ୍ବର ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସରପଂଚ ପ୍ରାର୍ଥୀ ଭାବେ ୧୧୨୨ ଜଣ, ସମିତି ସଭ୍ୟ ପାଇଁ ୫୧୨ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ୨୨ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ବିଜେଡି ପାଇଁ ପ୍ରମୁଖ କାରଣ ପାଲଟିଛି ଦଳୀୟ କନ୍ଦଳ । ବିରୋଧୀ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ତୁଳନାରେ ଦଳୀୟ କନ୍ଦଳ ବିଜେଡିର ମୁଣ୍ଡବିନ୍ଧା ପାଲଟିଛିା ୨୦୧୭ରେ ବିରୋଧୀ ବିଜେପିର ସ୍ୱତନ୍ତ୍ର ରଣନୀତି ଏବଂ ଦଳୀୟ କନ୍ଦଳ ବୁଝିନପାରି ବିଜେଡି ୨୦୧୨ ତୁଳନାରେ ଅନେକ ଆସନ ହରାଇଥିଲା । ମୁଖ୍ୟତଃ ବିଜେଡିକୁ ବିଜେପି ପଶ୍ଚିମ ଓଡିଶାରେ ଚେକ୍ ଦେଇଥିଲା ।
ଏବେ କିନ୍ତୁ ଉଭୟ ଉପକୂଳ ଏବଂ ପଶ୍ଚିମ ଓଡିଶାରେ ବିଜେଡି ଭଲ କରିବାକୁ ଅଂଟା ଭିଡିଛି । ବିଜେଡି ବିଧାୟକ ଉମା ସାମନ୍ତରାୟ କହିଛନ୍ତି, ଚଳିତଥର ବିଜେଡି ରାଜ୍ୟରେ ମୋଟ୍ ଆସନରୁ ୮୦ ପ୍ରତିଶତ ଆସନରେ ବିଜୟର ବାନା ଉଡାଇବା ।
ସେହିପରି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପଶ୍ଚିମ ଓଡିଶାରେ ଦଳ ମଜବୁତ ଅଛି ଚଳିତ ଥର ଉପକୂଳ ଓଡିଶାରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ । ଏଥିପାଇଁ ଦଳର ବିଧାୟକ ଏବଂ ଛାମୁଆ ନେତାଙ୍କୁ ଟାର୍ଗେଟଟ ଦିଆଯାଇଛି । ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜେପି ଯଦି ୨-୩ ଆସନ ଜିତିବ ତାହେଲେ ଦଳ ତାର ଲକ୍ଷ୍ୟ ପୂରଣ କରିବ ।
କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, କଂଗ୍ରେସ ଚଳିତଥର ଭଲ ପ୍ରଦର୍ଶନ କରିବ । ତାଙ୍କ ଜିଲ୍ଲା ଖୋର୍ଦ୍ଦାରେ କଂଗ୍ରେସ ପୂର୍ବ ଅପେକ୍ଷା ଅଧିକ ଭଲ ପ୍ରଦର୍ଶନ କରିବ ବୋଲି ସେ ଦାବି କରିଛନ୍ତି ।