ଶେଷ ହେଲା ରାଜ୍ୟ ସ୍ତରୀୟ ଷ୍ଟେଟ ରାଙ୍କିଙ୍ଗ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ
ଝାରସୁଗୁଡା: ଶେଷ ହେଲା ରାଜ୍ୟ ସ୍ତରୀୟ ଷ୍ଟେଟ ରାଙ୍କିଙ୍ଗ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ମଙ୍ଗଳ ବଜାର ଅଡିଟରିୟମ କମ୍ ସ୍ପୋର୍ଟସ କମ୍ପଲ୍କେସରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟ ଡିସେମ୍ବର 10 ପାଖରୁ ଆରମ୍ଭ 12 ତାରିଖ ଦିନ (ରବିବାର) ଶେଷ ହୋଇଛି । ବିଭିନ୍ନ ଜିଲ୍ଲାର ମୋଟ୍ 130 ଜଣ ପ୍ରତିଯୋଗୀ ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଥିଲେ ।
ଫାଇନାଲ ରାଉଣ୍ଡର ମିକ୍ସଡ ଡବଲ କ୍ୟାଟାଗୋରୀରେ ଖୋର୍ଦ୍ଦା ଜିଲ୍ଲା ଭୁବନେଶ୍ୱରର କେ ମୁରଲୀ କ୍ରିଷ୍ଣା ଏବଂ ଅନୁଗୋଳର ଅନୁଜ ଦାସ ମହାପାତ୍ର ବିଜେତା ବୋଲି ଘୋଷିତ ହୋଇଛନ୍ତି । ଏହି ଦୁଇ ଜଣ ତାଙ୍କ ପ୍ରତିପକ୍ଷ ଦୁଇ ଖେଳାଳି ଖୋର୍ଦ୍ଧାର ପ୍ରତିକ କୁମାର ବେହେରା ଏବଂ ସୁନ୍ଦରଗଡର ସ୍ୱାଗତିକା ରାଉତଙ୍କୁ ହରାଇଛନ୍ତି । ବିଜେତା ଯୋଡି 21-11ଟି ସେଟ୍ ଦେଇଥିବା ବେଳେ ପରାଜିତ ଯୋଡି 21-18 ସେଟ୍ ଦେଇଥିଲା।
ସେହିପରି ପୁରୁଷ ସିଙ୍ଗେଲ କ୍ୟାଟାଗୋରୀରେ ବାଲେଶ୍ୱରର ଆର୍ୟା ମାଝୀ ବିଜେତା ହୋଇଛନ୍ତି । ସେ ଅନୁଗୋଳର ଆୟୁଷ ଦାଶକୁ ହରାଇଛନ୍ତି । ମହିଳା ଡବଲରେ ଅନୁଗୋଳର ଅନୁଜା ଦାସ ମହାପାତ୍ର ଏବଂ ସମ୍ବଲପୁରର ପୂର୍ବା ପ୍ରତ୍ୟାଷା ପଣ୍ଡା ବିଜେତା ହୋଇଥିଲେ। ଏହି ଦୁଇ ଯୋଡି କୋରାପୁଟର ମୁନି ଜନି ଏବଂ ରାଜେଶ୍ୱରୀ ଖୋରାଙ୍କୁ ହରାଇଛନ୍ତି । ସେହିପରି ମହିଳା ସିଙ୍ଗେଲରେ ଭୁବନେଶ୍ୱରର ତନଭି ପତ୍ରି ବିଜୟୀ ହୋଇଛନ୍ତି । ସେ ସୁନ୍ଦରଗଡର ସ୍ୱାଗତିକା ରାଉତଙ୍କୁ ପରାସ୍ତ କରିଛନ୍ତି।
ପୁରୁଷ ଡବଲ୍ କ୍ୟାଟାଗୋରୀରେ ଖୋର୍ଦ୍ଧାର କେ.ମୁରାଲୀ କୃଷ୍ଣ ଏବଂ କଟକର ମାନସ ରଂଜନ ରାଉତ ଅନୁଗୋଳର ଅମ୍ଲାନ କେଶରୀ ଏବଂ କୋରାପୁଟର ସିଦ୍ଧାର୍ଥ ନାୟକଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି।
ଝାରସୁଗୁଡା ଏସପି ବିକାଶ୍ ଚନ୍ଦ୍ର ଦାସ 10 ଡିସେମ୍ବରରେ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ ସେହିପରି ଝାରସୁଗୁଡା ଜିଲ୍ଲାପାଳ ସୋରଜ କୁମାର ବେହେରା ଟୁର୍ଣ୍ଣାମେଣ୍ଟକୁ ଉଦଯାପନ କରିଥିଲେ। ଏହି ଅବସରରେ ଝାରସୁଗୁଡା ବ୍ୟାଡମିଣ୍ଟନ ଆସୋସିଏସନର ସଭାପତି ତଥା ବ୍ରଜଜନଗର ବିଧାୟକ କିଶୋର କୁମାର ମହାନ୍ତି ଓଡିଶା ରାଜ୍ୟ ସଚିବ ବ୍ୟାଡମିଣ୍ଟନ ଆସୋସିଏସନର ନିଲେନ କୁମାର ଏବଂ ଅନ୍ୟାନ୍ୟ ମାନେ ଉପସ୍ଥିତ ଥିଲେ।