୧୦ ବର୍ଷ ପରେ ୧୦ ଦିନିଆ ବିଦେଶ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଯିବେ । ଏଥିପାଇଁ ଶୁକ୍ରବାର ଅପରାହ୍ନରେ ଦିଲ୍ଲୀ ଗସ୍ତ କରିଛନ୍ତି । ଏହାପରେ ୨୦ ତାରିଖ ଅପରାହ୍ନରେ ନବୀନ ରୋମ୍ ଯିବେ । ୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ୧୦ ଦିନିଆ ବିଦେଶ ଗସ୍ତରେ ଯାଉଛନ୍ତି । ସେଠାରେ ଜାତିସଂଘ କାର୍ୟ୍ୟକ୍ରମରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି। ଏଠାରେ ସେ ଓଡ଼ିଶାରେ ଖାଦ୍ୟ ନିରାପତ୍ତା ଉପରେ ଆଲୋକପାତ କରିବେ। ଆଉ ଓଡ଼ିଶାର ସଫଳତା ବଖାଣିବେ ବୋଲି ସୂଚନା ରହିଛି। ଏହି ରୋମ୍ ଗସ୍ତ ବେଳେ ନବୀନ ପୋପଙ୍କୁ ଭେଟିବେ । ପୋପଙ୍କୁ ଭେଟିବାରେ ଭାରତର ପ୍ରଥମ ମୁଖ୍ୟମନ୍ତ୍ରୀ ହେବେ।
ରୋମ୍ ଗସ୍ତ ଶେଷ କରିବା ପରେ ମୁଖ୍ୟମନ୍ତ୍ରୀ ସେଠାରୁ ଦୁବାଇ ଗସ୍ତରେ ଯିବେ। ୨୯ ତାରିଖରେ ଦୁବାଇରେ ଫିକି ଏବଂ ଓଡ଼ିଶା ସରକାର ଦ୍ୱାରା ଆୟୋଜିତ ହେଉଥିବା ନିବେଶକ ସମ୍ମିଳନୀରେ ନବୀନ ଯୋଗ ଦେବେ। ଦୁଇ ଘଣ୍ଟାରେ ଏହି ବୈଠକରେ ନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଆହ୍ୱାନ କରିବେ। ଏହାପରେ ସେ ୩୦ ତାରିଖରେ ଭାୟା ଦିଲ୍ଲୀ ହୋଇ ନବୀନ ଭୁବନେଶ୍ୱରରେ ପହଞ୍ଚିବାର ଯୋଜନା ରହିଛି। ନବୀନଙ୍କ ଏହି ଗସ୍ତ ସମୟରେ ତାଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ କୁମାର, ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ୍, ଆଉ କିଛି ଆଇଏଏସ ଏବଂ ନବୀନଙ୍କ ଦୁଇ ବ୍ୟକ୍ତିଗତ କର୍ମଚାରୀ ସାଙ୍ଗରେ ରହିବେ।
ଏହା ପୂର୍ବରୁ ଅନ୍ତିମ ଥର ପାଇଁ ୨୦୧୨ରେ ନବୀନ ଲଣ୍ଡନ ଗସ୍ତରେ ଯାଇଥିଲେ। ବିଦେଶରେ ଥିବା ସମୟରେ ରାଜଧାନୀରେ ତାଙ୍କ ବିରୋଧରେ ମେଳି କରି କ୍ଷମତାଚ୍ୟୁତ କରାଇବାକୁ ପ୍ରୟାସ ହୋଇଥିଲା। ଆଉ ଏହା ପଛରେ ତାଙ୍କର ସେତେବେଳର ଏକାନ୍ତ ଅନୁଗତ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ର ଥିଲେ।