?????

୨୬ରୁ ଥରିବ ଝାରସୁଗୁଡା ସମେତ ଅନେକ ଜିଲ୍ଲା

ଭୁବନେଶ୍ୱର : ରାଜ୍ୟରେ ଏବେ ପାଗ ମେଘୁଆ ଓ କୋହଲା ରହିଛି । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ଆଜିଠୁ (୨୪ ତାରିଖ) ଆଡ଼କୁ ରାଜ୍ୟର ପାଗରେ ପରିବର୍ତ୍ତନ ହେବ। ଆକାଶ ନିର୍ମଳ ରହିବା ସହ ପାଗ ଖରାଟିଆ ରହିବ । ଫଳରେ ଧୀରେଧୀରେ ରାତ୍ରି ତାପମାତ୍ରା କମିବ ।

୨୬ ତାରିଖ ଆଡ଼କୁ ତାପମାତ୍ରା ପ୍ରାୟ ୫ରୁ ୬ ଡିଗ୍ରି ପର୍ଯ୍ୟନ୍ତ କମିଯିବ । ଫଳରେ ପୁଣି ଶୀତ ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କହାଯାଇଛି । ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ମଙ୍ଗଳବାର ରାତିରୁ ରାଜ୍ୟରେ ପାରଦସ୍ତର ହ୍ରାସ ପାଇବ । ୨୩ତାରିଖ ରାତିରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ବଢ଼ିବ ଓ ଉପକୂଳରେ ୨୬ରୁ ଶୀତ ବଢ଼ିବ। ଆଭ୍ୟନ୍ତରୀଣ ଉତ୍ତର, ପଶ୍ଚିମ, ଦକ୍ଷିଣପଶ୍ଚିମ ଓଡ଼ିଶାରେ ୨୩ରୁ ୨୬ ତାରିଖ ରାତି ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୫ରୁ ୬ ଡିଗ୍ରି ପର୍ଯ୍ୟନ୍ତ କମିପାରେ ।

ସେହିପରି ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୨୬ରୁ ୨୮ତାରିଖ ଭିତରେ ପ୍ରାୟ ୬ ଡିଗ୍ରି କମିବ । ସମ୍ଭବତଃ ୨୮ ତାରିଖରେ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ଡ. ପଶୁପାଳକ କହିଛନ୍ତି । ସେହିପରି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଗତକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଅଧିକ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟାରେ ଲଘୁଚାପରେ ପରିଣତ ହେବ । ଏହା ନଭେମ୍ବରରେ ବଙ୍ଗୋପସାଗରର ଚତୁର୍ଥ ଲଘୁଚାପ ହେବ । ୨୯ ବା ୩୦ ତାରିଖରେ ଏହା ତାମିଲନାଡ଼ୁ ଉପକୂଳ ଛୁଇଁବ । ଫଳରେ ତାମିଲନାଡୁରେ ୨୫ରୁ ୩୦ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ । ଓଡ଼ିଶାରେ ୨୩ ଓ ୨୪ତାରିଖରେ ଜଗତସିଂହପୁର ଜିଲ୍ଲାର ଦକ୍ଷିଣରେ ଥିବା ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହିବ ।

ପରେ ୨୮ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ । ରାଜ୍ୟର ବାକି ଜିଲ୍ଲାରେ ୨୨ରୁ ୨୮ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ । ଚତୁର୍ଥ ଲଘୁଚାପର ପ୍ରଭାବରେ ରାଜ୍ୟରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ୨୯ରୁ ପାଗ ମେଘୁଆ ଓ କୋହଲା ରହିବା ସହ କିଛି ବର୍ଷା ସମ୍ଭାବନା ରହିଛି । ଡିସେମ୍ବର ପ୍ରଥମ ସପ୍ତାହରେ ଥାଇଲାଣ୍ଡ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ ବଙ୍ଗୋପସାଗରକୁ ଆସିବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ।

ଡ. ପଶୁପାଳକ ଆହୁରି କହିଛନ୍ତି ଯେ ଡିସେମ୍ବର ପ୍ରଥମ ସପ୍ତାହରେ ପାଗ ପରିବର୍ତ୍ତନର ସମ୍ଭାବନା ହେତୁ ନଭେମ୍ବର ସୁଦ୍ଧା ଧାନ ଅମଳ କରିଦିଅନ୍ତୁ । ମାଟିରେ ପାଗ ଦେଖି ରବି ଅଣଧାନ ଫସଲ ଲଗାନ୍ତୁ । ରବି ଧାନ କରିବାକୁ ଥିଲେ ଡିସେମ୍ବର ୧୫ ତାରିଖ ସୁଦ୍ଧା ତଳିଘେରା ପ୍ରସ୍ତୁତ କରନ୍ତୁ ।

Related Articles

Leave a Reply

Back to top button
error: Content is protected !!