?????

ବୃଦ୍ଧଙ୍କଠୁ 15 ଲକ୍ଷ ଟଂକା ଠକେଇ ଏବଂ ବ୍ଲାକମେଲ କରିବା ଅଭିଯୋଗରେ ଯୁବକ ଗିରଫ

ଝାରସୁଗୁଡ଼ା : ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଭୟ ଦେଖାଇ 15 ଲକ୍ଷ ଟଙ୍କା ଠକି ନେଇଥିବ‌ା ଅଭିଯୋଗରେ ଜଣେ ଜଣେ ଯୁବକ ଗିରଫ ହୋଇଛି  । ଗିରଫ ଅଭିଯୁକ୍ତ ଏବଂ ଠକେଇର ଶିକାର ହୋଇଥିବା ବୃଦ୍ଧ ବ୍ୟକ୍ତି ଗୋଟିଏ ଗାଁର  । ପରସ୍ପର ଏକାଠି ବସା ଉଠା କରନ୍ତି । ଦୁଇ ଜଣଙ୍କ ଘର ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଶ୍ରୀପୁରା ଗ୍ରାମର  । ଅଭିୁଯୁକ୍ତ ଲଖୀନ୍ଦ୍ର ପୋଢ଼ (30)କୁ ପୁଲିସ ଗିରଫ କରିଛି। ଠକେଇର ଶିକାର ବୃଦ୍ଧ ପ୍ରସନ୍ନ ଦୀକ୍ଷିତଙ୍କ ବୟସ 83 ସେ 1995ରୁ ଶିକ୍ଷକ ଭାବରେ ଅବସର ଗ୍ରହଣ କରିଥିଲେ। ଉଭୟ ଏକାଠି ବିଭିନ୍ନ ସମୟରେ ବଜାର ଘାଟ ପାଖରୁ ଆରମ୍ଭ କରି ବୁଲାବୁଲି କରନ୍ତି ବୋଲି ଜଣାପଡିଛି  ।

ପ୍ରସନ୍ନ ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ଅଛି ଲଖୀନ୍ଦ୍ର ମଧ୍ୟ ଭଲ ଭାବେ ଜାଣିଥିଲା। ଆଉ ଗତ 4 ତାରିଖ ଦିନ ଲଖୀନ୍ଦ୍ର ଆରମ୍ଭ କରିଥିଲା ନାଟକ  । ଏହି ଦିନ ରାତିରେ ଏକ ବ୍ୟାଗ ନେଇ ପ୍ରସନ୍ନଙ୍କ ଘରେ ରଖିଥିଲା ଓ ଆଉ ତାକୁ ପରଦିନ ସକାଳେ ନେଇଥିଲା। 5 ତାରିଖ ସନ୍ଧ୍ୟାରେ ଲଖୀନ୍ଦ୍ର ଆସି ପ୍ରସନ୍ନଙ୍କୁ ସେ ରାତିରେ ରଖିଥିବା ବ୍ୟାଗକୁ ପୁଲିସ ଓ ଆୟକର ବିଭଗ ଜବତ କରିଥିବା କହିଥିଲା। ଉକ୍ତ ବ୍ୟାଗରେ କଳା ଟଙ୍କା ଥିଲା ପୁଲିସ ଏବଂ ଆୟକର ବିଭାଗ କେମିତି ଗୋଟିଏ ଜାଣିପାରି ସେହି ବ୍ୟାଗକୁ ଜବତ କରିଛନ୍ତି । ସେ ଖୁବଶୀଘ୍ର ଗିରଫ ହୋଇପାରେ ପୁଲିସ ତାକୁ ଖୋଜୁଛି ବୋଲି ଲଖୀନ୍ଦ୍ର ପ୍ରସନ୍ନଙ୍କୁ କହିଥିଲା  । ହେଲେ ସେହି ବ୍ୟାଗକୁ ସେ ‌ତାଙ୍କ ଘରେ ରଖିଥିବାରୁ ପୁଲିସ ତାଙ୍କୁ (ପ୍ରସନ୍ନ) ବାନ୍ଧି ପାରେ ବୋଲି ଅଭିଯୁକ୍ତ କହିଥିଲା । ଏହାପରେ ଫେକ୍ ନମ୍ବରରୁ ଲଖୀନ୍ଦ୍ର ପ୍ରସନ୍ନଙ୍କୁ ଫୋନ କରି ଗିରଫର ଭୟ ଦେଖାଇଥିଲା  । ଏହି ସମୟରେ ଲଖୀନ୍ଦ୍ର ଆୟକର ବିଭାଗର ଅଧିକାରୀ ଭାବରେ କଲ କରିଥିଲା । ଆଉ ଗିରଫଦାରୀରରୁ ବର୍ତ୍ତିବାକୁ ହେଲେ 2 ଲକ୍ଷ ଟଂକା ଦେବାକୁ ହେବ ବୋଲି ପ୍ରସନ୍ନଙ୍କୁ ଫୋନ ଯୋଗେ କୁହାଯାଇଥିଲା  । ନହେଲେ ଗିରଫ ହେଲେ ଆଜୀବନ ଜେଲ ହେବା ଭୟ ବି ଦେଖାଇଥିଲା। ପରେ ପ୍ରସନ୍ନ ରାଜି ହୋଇ ଗତ 6 ତାରିଖ ଦିନ 2 ଲକ୍ଷ ଟଙ୍କା ଲଖୀନ୍ଦ୍ରକୁ ଦେଇ ମାମଲା ବନ୍ଦ କରିବାକୁ କହିଥିଲେ। ବାରମ୍ବାର ଏଭଳି ଗିରଫର ଭୟ ଦେଖାଇ ଲଖୀନ୍ଦ୍ର ଛଦ୍ମ ବେଶରେ 6 ତାରିଖରୁ 23 ତାରିଖ ମଧ୍ୟରେ 15 ଲକ୍ଷ ଟଙ୍କା ନେଇଥିଲା  ।

ଏହାପରେ ପ୍ରସନ୍ନ ତାଙ୍କ ସଂପର୍କୀୟଙ୍କୁ ସମସ୍ତ କଥା କହିଥିଲେ  । ଏହାପରେ ସେହି ବ୍ୟକ୍ତି ଜଣଙ୍କ ସମସ୍ତ କଥା ବଡମାଳ ପୁଲିସରେ କହିଥିଲେ। ଏହାପରେ ପୁଲିସ ଲଖୀନ୍ଦ୍ରକୁ ଗିରଫ କରି ତା’ ଘରେ ଥିବା ନଗଦ ପାଖାପାଖି 5 ଲକ୍ଷ ଟଙ୍କା ଜବତ କରିଥିଲା। ଆଉ 10 ଲକ୍ଷ ଟଂକାର ହିସାବ ମଧ୍ୟ ଦେଇଥିଲା  । ଅଭିଯୁକ୍ତ ବିରୋଧରେ ପୁଲିସ ବିଭିନ୍ନ ଦଫା ଲଗାଇ ମାମଲା ରୁଜୁ କରି ତାକୁ କୋର୍ଟଚାଲାଣ କରିଛି।

Related Articles

Leave a Reply

Back to top button
error: Content is protected !!