କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲେ ଟଙ୍କଧର

ଝାରସୁଗୁଡା: ରାଜ୍ୟ ବିଜେପିର ସମ୍ପାଦକ ଟଙ୍କଧର ତ୍ରିପାଠୀ ମଙ୍ଗଳବାର କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି। ଝାରସୁଗୁଡା ଏବଂ ବ୍ରଜରାଜନଗର ରେଳ ଷ୍ଟେସନର ବିକାଶ କରିବା ପାଇଁ ଟଙ୍କଧର ଅନୁରୋଧ କରିଛନ୍ତି। ଏଥିସହ ଦୀର୍ଘ ଦିନ ଧରି ଜିଲ୍ଲାବାସୀଙ୍କର ଦାବିକୁ ଶୁଣିବାକୁ ଅନୁରୋଧ କରିଛନ୍ତି। ଝାରସୁଗୁଡା ଷ୍ଟେସନରୁ ଅଧିକ ସମୟ ରହୁଛି ତେଣୁ ଏହାକୁ ଏକ ଜୋନ ଭାବରେ ଘୋଷଣା କରିବାକୁ ସେ ଦାବି କରିଛନ୍ତି।
ସେହିପରି ଜିଲ୍ଲାରେ ଥିବା ବଗେଢି ରେଳ ଷ୍ଟେସନରେ ଇସ୍ପାତ ଏକ୍ସପ୍ରେସ, ତପସ୍ୱିନୀ ଏକ୍ସପ୍ରେସ ଏବଂ ରାଜ୍ୟରାଣୀ ଏକ୍ସପ୍ରେସକୁ ଷ୍ଟପେଜ ଦେବା ପାଇଁ ଦାବି କରିଛନ୍ତି। ଲକଡାଉନ ପୂର୍ବରୁ ଏହି ତିନୋଟି ଟ୍ରେନ ରହୁଥିଲା। ଏବେ କିନ୍ତୁ କରୋନା ନିୟମକୁ ଦୃଷ୍ଟିରେ ରଖି ଷ୍ଟପେଜ ଦିଆଯାଉନଥିବାରୁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି।
ସୂଚନାଯୋଗ୍ୟ, ନିକଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ସମାନ ଦାବି ଜଣାଇଥିଲେ ଟଙ୍କଧର ତ୍ରିପାଠୀ।