ମୁଖ୍ୟମନ୍ତ୍ରୀ ନିଜର ଆତ୍ମପ୍ରଚାର କରି ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି: ଟଙ୍କଧର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ମହାମାରୀ ସମୟରେ ୮୦ କୋଟି ଲୋକଙ୍କୁ ମାଗଣାରେ ରାସନ ଦେବା ପାଇଁ ବ୍ୟବସ୍ଥା କରିଥିଲେ। କିନ୍ତୁ ରାଜ୍ୟରେ ବିଜେଡି ସରକାର ଏହି ଯୋଜନାରେ ବ୍ୟାପକ ହେରଫେର କରିବା ସହ ଖୋଦ୍ ମୁଖ୍ୟମନ୍ତ୍ରୀ ନିଜର ଆତ୍ମପ୍ରଚାର କରି ଓଡିଶାବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି।
ଯୋଗ୍ୟ ହିତାଧିକାରୀ ମାନଙ୍କୁ ରାସନ କାର୍ଡ ନଦେଇ ରାଜ୍ୟ ସରକାର ଗରିବ ମାରଣ ନୀତି ଆପଣାଇଛନ୍ତି। ରାଜ୍ୟ ସରକାର ରାଜ୍ୟରେ ଭୂତ ରାସନକାର୍ଡଧାରୀଙ୍କ ସଂଖ୍ୟା ବୃଦ୍ଧି କରି କେନ୍ଦ୍ରୀୟ ଅନୁଦାନକୁ ଲୁଟ୍ କରୁଛନ୍ତି। ରାଜ୍ୟ ସରକାର ପାଖପାଖି ୫ ଲକ୍ଷ କାର୍ଡଧାରୀଙ୍କୁ ଗରିବ କଲ୍ୟାଣ ଯୋଜନାରେ ରାସନ ବାଣ୍ଟି ପାରି ନାହାଁନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାରେ ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଡଧାରୀଙ୍କ ମଧ୍ୟରେ ପାର୍ଥକ୍ୟ କାହିଁକି ଦେଖାଦେଉଛି ବୋଲି ଟଙ୍କଧର ପ୍ରେସ କନଫରେନସ କରି ଅଭିଯୋଗ କରିଛନ୍ତି।
ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟରେ ୯୨ ଲକ୍ଷ ୭୬ ହଜାର ୯୩୪ ହିତାଧିକାରୀ ଥିବାବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚଳିତ ବର୍ଷ ମେ’ ମାସରେ ମାତ୍ର ୮୭ ଲକ୍ଷ ୩୯ ହଜାର ୪୯୪ ଜଣ ରାସନ୍ ନେଇଛନ୍ତି ।
ରାଜ୍ୟରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କାର୍ଡଧାରୀଙ୍କୁ ୨୧ କୋଟି ଟଙ୍କା ବର୍ତ୍ତମାନ ସୁଦ୍ଧା ବଣ୍ଟନ କରାଯାଇ ନାହିଁ । ୯୩୪ କୋଟି ବିନିଯୋଗ ପ୍ରମାଣ ପତ୍ର ସଂପୂର୍ଣ୍ଣ ଭାବେ ଭୁଲ୍ ଅଛି। ଗରିବ ଲୋକଙ୍କୁ ହଜାରେ ଟଙ୍କା ଆବଣ୍ଟନରେ ହେରଫେର ମାମଲା ଲୋକାଯୁକ୍ତଙ୍କ ପାଖରେ ପଡି ରହିଛି। ରାଜ୍ୟ ସରକାର କେବେ ୱାନ ନେସନ ୱାନ ରାସନ ଯୋଜନା ଲାଗୁ ନହେବା ଫଳରେ ରାଜ୍ୟରେ କାମଧନ୍ଦା ନପାଇ ଅନ୍ୟ ରାଜ୍ୟକୁ ରୋଜଗାର ପାଇଁ ଯାଉଥିବା ଓଡିଆ ଲୋକ ରାସନ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।