ବ୍ରଜରାଜନଗରରେ ବିଜେଡିର ବାଜିମାତ: ଉଠିଲା କଂଗ୍ରେସ, ଖସିଲା ବିଜେପି

ଝାରସୁଗୁଡା: ବ୍ରଜରାଜନଗର ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ୬୫ ହଜାର ୭୯୧ ଭୋଟରେ ବିଜୟ ହୋଇଛନ୍ତି । ସେ ବିଜୟ ହୋଇ ଏହି ନିର୍ବାଚନ ମଣ୍ଡଳୀର ଦିବଂଗତ ବିଧାୟକ ତଥା ତାଙ୍କ ସ୍ୱାମୀଙ୍କ ଉତ୍ତରାଧିକାରୀ ଭାବେ ନିର୍ବାଚିତ ହୋଇଛନ୍ତି। ଅଳକାଙ୍କୁ ମୋଟ୍ ୯୩ ହଜାର ୭୯୦ ଭୋଟ୍ ମିଳିଛି । ବିଜୟ ଲାଭ କରିବା ପରେ ଅଳକା କହିଛନ୍ତି ଯେ, ସେ ବ୍ରଜରାଜନଗର ବାସୀଙ୍କ ସବୁ ପ୍ରକାର ଉନ୍ନତି ପାଇଁ କାମ କରିବେ ।
ତାଙ୍କ ସ୍ୱାମୀ କିଶୋର ମହାନ୍ତି କରିଥିବା ଭଲ କାମ ପାଇଁ ଲୋକେ ତାଙ୍କୁ ଭୋଟ୍ ମିଳିଛି। ଏହାସହ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ପ୍ରଚାର ପାଇଁ ସହଯୋଗରେ ହାତ ବଢାଇଥିବା କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ତେବେ ଏହି ନିର୍ବାଚନ ବିଜେପି ଏବଂ କଂଗ୍ରେସ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ବହନ କରୁଥିଲା। କାରଣ ଏହି ନିର୍ବାଚନରେ ଏଥର କଂଗ୍ରେସ ଦ୍ୱିତୀୟ ସ୍ଥାନକୁ ଆସିଥିବା ବେଳେ ବିଜେପି ତୃତୀୟ ସ୍ଥାନକୁ ଖସିଛି। ୨୦୧୯ ନିର୍ବାଚନ ପରେ କଂଗ୍ରେସ ପ୍ରଥମଥର ପାଇଁ କୌଣସି ନିର୍ବାଚନରେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଛି। ୨୦୧୪ ନିର୍ବାଚନରେ ଏହି ଆସନରେ ଏବେର ପରାଜିତ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ବିଜୟୀ ହୋଇଥିଲେ। ସେ ୨୦୧୯ ନିର୍ବାଚନରେ ଏଠାରେ କିଶୋରଙ୍କ ପାଖରୁ 48 ହାଜର ଭୋଟ୍ ବ୍ୟବଧାନରେ ହାରିଥିଲେ। କିନ୍ତୁ ଚଳିତ ଥର ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। କଂଗ୍ରେସ ଏଠାରେ ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲଙ୍କୁ ଟିକେଟ ଦେଇଥିଲା । ଦଳ ଅଧିକ ଭଲ ଆଶା କରୁଥିଲେ ବି କିଶୋର କେବଳ ଦ୍ୱିତୀୟ ସ୍ଥାନ ଅଧିକାର କରିପାରିଛନ୍ତି ।