ସ୍ଥପତି ରଘୁନାଥ ମହାପାତ୍ରଙ୍କର ପରଲୋକ

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ତଥା ସ୍ଥପତି ରଘୁନାଥ ମହାପାତ୍ରଙ୍କର ପରଲୋକ ହୋଇଛି। ଦ୍ୱିତୀୟ ବିଶୁ ମହାରଣା ଭାବରେ ପରିଚିତ ଏହି ପ୍ରଖ୍ୟାତ ଶିଳ୍ପୀ ନିକଟରେ କରୋନାରେ ସଂକ୍ରମିତ ହୋଇଥିଲେ। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ଶ୍ରୀଯୁକ୍ତ ମହାପାତ୍ର (78) 22 ଏପ୍ରିଲରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ଏମ୍ସ ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଶ୍ରୀଯୁକ୍ତ ମହାପାତ୍ର ଆଜି ନିରବି ଯାଇଛନ୍ତି। ଅପରାହ୍ନ 3.49 ରେ ସେ ନିଃଶ୍ୱାସ ତ୍ୟାଗ କରିଥିଲେ ବୋଲି ଏମ୍ସର ନିର୍ଦ୍ଦେଶିକା କହିଛନ୍ତି। ଶ୍ରୀଯୁକ୍ତ ମହାପାତ୍ରଙ୍କ ଦେହାନ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଆଦି ଅନେକ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି କହିଛନ୍ତି, ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶିଳ୍ପୀ ତଥା ସାଂସଦ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର କଳା ଓ ଐତିହ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କ ଅତୁଳନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।