ସରବାହାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ହେବ ଦୁଲଦୁଲି

ଝାରସୁଗୁଡ଼ା: ଚଳିତ ବର୍ଷ ଜିଲ୍ଲା ପ୍ରତିଷ୍ଠା ଦିବସ ସରବାହାଲ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଆୟୋଜନ ହେବ। ଜିଲ୍ଲା ପ୍ରତିଷ୍ଠା ଦିବସ ଓ ଜିଲ୍ଲା ମହୋତ୍ସବ ଦୁଲଦୁଲି ପ୍ରସ୍ତୁତି ନିମନ୍ତେ ଜିଲ୍ଲା ମିନେରାଲ ଫାଉଣ୍ଡେସନର ସମ୍ମିଳନୀ କକ୍ଷରେ ଏକ ବୈଠକ ବସିଥିଲା। ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ସାଂସ୍କୃତିକ ପରିଷଦ ଅଧ୍ୟକ୍ଷ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସରବାହାଲ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆରେ ଦୁଲଦୁଲି ଆୟୋଜନ ହେବ ବୋଲି ଚୂଡାନ୍ତ ହୋଇଛି।
ଏହି ବୈଠକରେ ଏସପି ରାହୁଲ ଜୈନ, ଏଡ଼ିଏମ୍ଓ ପ୍ରବୀର କୁମାର ନାଏକ, ଏଡ଼ିଏମ୍ଓ ଲଙ୍କେଶ୍ୱର ଅମାତ, ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ଜିଲ୍ଲା ପ୍ରତିଷ୍ଠା ଦିବସ ୨୦୨୩ ଜାନୁଆରୀ ୧ରେ ପାଳନ କରିବାକୁ ନିଷ୍ପତି ହୋଇଛି।
ଏହି ଅବସରରେ ମଙ୍ଗଳ ବଜାର ଅଡିଟୋରିୟମରେ ରକ୍ତଦାନ ଶିବିର, କବିତା ପାଠ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ତେବେ ଜିଲ୍ଲା ମହୋତ୍ସବ ଦୁଲଦୁଲି ୧୪ ଜାନୁଆରିରୁ ଆରମ୍ଭ ହୋଇ ୧୮ ଜାନୁଆରି ଯାଏ ୫ ଦିନ ଧରି ସରବାହାଲ ହାଇସ୍କୁଲ ପରିସରରେ ଆୟୋଜିତ ହେବ। ଏହି ୫ ଦିନ ଧରି ପଲିଶ୍ରୀ ମେଳା ଆୟୋଜନ କରାଯିବା ସହ ବିଭିନ୍ନ ସରକାରୀ ଅନୁଷ୍ଠାନ ପକ୍ଷରୁ ବିକାଶମୂଳକ କାର୍ଯ୍ୟକ୍ରମ ଷ୍ଟଲମାନ ବସିବ।