ଝାରସୁଗୁଡ଼ା ପୋଲିସ ୨୦୧ ଚୋରି ଓ ନିଖୋଜ ମୋବାଇଲକୁ ଠାବ କରି ମାଲିକଙ୍କୁ ଫେରାଇଲା
ଝାରସୁଗୁଡ଼ା: ହଜିଯାଇଥିବା ମୋବାଇଲ ଫୋନକୁ ଖୋଜିବାରେ ସଫଳ ହୋଇଛି ଝାରସୁଗୁଡା ସାଇବର ଥାନା ପୋଲିସ। ମୋଟ୍ ୨୦ ଲକ୍ଷ ଟଙ୍କାର ୨୦୧ଟି ଚୋରି ଓ ନିଖୋଜ ଫୋନକୁ ସଫଳତାର ସହ ଠାବ କରିଛି ଝାରସୁଗୁଡ଼ା ସାଇବର ସେଲ୍। ଏଥିପାଇଁ ଜୁନ୍ ୧୦ ତାରିଖରୁ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ଅପରେସନ୍ । ଆଉ ଜିଲ୍ଲାରେ ଗତ ବର୍ଷକ ମଧ୍ୟରେ ରୁଜୁ ହୋଇଥିବା ୪୧୩ଟି ମାମଲା ଆଧାରରେ ପୋଲିସ ତଦନ୍ତ କରି ୨୦୧ଟି ମୋବାଇଲ ଠାବ କରିଛି । କାଗଜପତ୍ର ଓ ଆବଶ୍ୟକ ଯାଞ୍ଚ ପରେ ମୋବାଇଲ୍ ଫୋନ୍ ଗୁଡ଼ିକୁ ଝାରସୁଗୁଡ଼ା ଏସପି ରାହୁଲ ଜୈନ୍ ସେମାନଙ୍କ ମୂଳ ମାଲିକଙ୍କୁ ଫେରାଇ ଦେଇଛନ୍ତି। ଯାହାକି ପୁଲିସ ଏବଂ ଲୋକଙ୍କ ସମ୍ପର୍କକୁ ଆହୁରି ମଜବୁତ କରିଛି ।
ଗତ ଜୁନ ମାସରେ ଏଥିପାଇଁ ହ୍ୱାଟସଆଆପ ହେଲ୍ପ ଲାଇନ ଜରିଆରେ ଝାରସୁଗୁଡା ପୋଲିସ ହଜିଯାଇଥିବା ମୋବାଇଲ ଫୋନକୁ ଠାବ କରିବାକୁ ଆରମ୍ଭ କରିଥିଲେ ସ୍ୱତନ୍ତ୍ର ଅପରେସନ ଡ୍ରାଇଭ । ଏଥିପାଇଁ ହ୍ୱାଟସଆପ୍ ହେଲ୍ପଲାଇନ୍ ନମ୍ବର ୭୩୮୧୮୦୯୮୭୭ ଜାରି ହୋଇଥିଲା। ଏହି ନମ୍ବରରେ ମୋବାଇଲ ହଜିଯାଇଥିବା ଅଭିଯୋଗକାରୀଙ୍କୁ ସୂଚନା ଦେବାକୁ କୁହାଯାଇଥିଲା। ପରେ ଅଭିଯୋଗ ଅନୁସାରେ ଝାରସୁଗୁଡ଼ା ସାଇବର ସେଲ୍ ସହାୟତାରେ ପୁଲିସ ଅଧିକାରୀ ମୋବାଇଲ୍ ଫୋନ ଗୁଡିକୁ ଠାବ କରି ମାଲିକମାନଙ୍କୁ ହସ୍ତାନ୍ତର କରିଛନ୍ତି।
ଝାରସୁଗୁଡ଼ା ଏସପି କହିଛନ୍ତି, ଗତ ମାସ ଜୁନ୍ ୧୦ ତାରିଖରେ ନିଖୋଜ ମୋବାଇଲକୁ ଠାବ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଥିଲା। ମୋଟ ୪୧୩ଟି ଅଭିଯୋଗ ଆସିଥିଲା ଜାରି ହୋଇଥିବା ହ୍ୱାଟସଆପ ନମ୍ବରକୁ । ଯେଉଁଥିରୁ ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ୨୦୧ଟି ମୋବାଇଲ ଉଦ୍ଧାର କରିବାରେ ସଫଳ ହୋଇଛୁ। ୨୦୧ଟି ମୋବାଇଲ୍ ଫୋନ୍ ମଧ୍ୟରୁ ରାଜ୍ୟ ଭିତରୁ ପ୍ରାୟ ୧୦୦ଟି ମୋବାଇଲ୍ ଫୋନ୍ ଜବତ ହୋଇଥିବା ବେଳେ ଛତିଶଗଡ଼, ଦିଲ୍ଲୀ ଓ ମହାରାଷ୍ଟ୍ରରୁ ପ୍ରାୟ ୫୦ଟି ମୋବାଇଲ ଜବତ ହୋଇଛି।
ମଙ୍ଗଳବାର ସମସ୍ତ ମୋବାଇଲ୍ ମାଲିକଙ୍କୁ ତାଙ୍କର ମୋବାଇଲ୍ ହସ୍ତାନ୍ତର କରାଯାଇଛି। ଏହି ଅଭିଯାନରେ ଆମେ ୭ଟି ମାମଲା ରୁଜୁ କରି ୪ଟି ଅଭିଯୋଗକୁ ଆଗକୁ ନେଇଛୁ । ଚୋରି ଫୋନ୍ ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ। ତେବେ ଅଧିକାଂଶ ମାମଲା ଫୋନ୍ ସଂପର୍କରେ ଥିଲା ଯାହା ମାଲିକମାନେ ଛାଡ଼ି ଦେଇଥିଲେ କିମ୍ବା ଏହା ହଜି ଯାଇଥିଲା।
ଝାରସୁଗୁଡ଼ା ଟାଉନର ସ୍ମିତା ଶାହା କହିଛନ୍ତି, ମେ’ ୧୩ରେ ତାଙ୍କର ଫୋନ୍ ହଜିଯାଇଥିଲା । ଘର ବାହାରେ ଗାଡ଼ି ଉପରେ ମୋବାଇଲ୍ ଫୋନ୍ ରଖିଥିବା ବେଳେ ହଠାତ ଏହା ହଜିଯାଇଥିଲା। ଏହା ପରେ ଥାନାରେ ଅଭିଯୋଗ କରିଥିଲି। ପରେ ସୋମବାର ହଠାତ୍ ମୋତେ ଥାନାରୁ ଫୋନ୍ ଆସିଥିଲା ଯେ ଫୋନ୍ ଆସି ନେଇଯିବାକୁ । ମୁଁ ମୋବାଇଲ ପାଇ ବହୁତ ଖୁସି ଅନୁଭବ କରୁଛି ।
ସେହିପରି ନମିତା ପଟେଲ କହିଛନ୍ତି, ସୁନ୍ଦରଗଡ଼ରେ ତାଙ୍କ ମୋବାଇଲ୍ ଚୋରି ହୋଇଥିଲା। ଏହାପରେ ସେ ସୁନ୍ଦରଗଡ଼ ସଦର ଥାନାରେ ଅଭିଯୋଗ କରିଥିଲେ। ପରେ ଏହି ମାମଲା ଝାରସୁଗୁଡ଼ା ସଦର ଥାନାକୁ ସ୍ଥାନାନ୍ତର ହୋଇଥିଲା। ପରେ ମୋତେ ପୋଲିସ ଅଧିକାରୀଙ୍କ ଫୋନ୍ ପାଇ ହଜିଯାଇଥିବା ମୋବାଇଲ ଫୋନ୍ ପାଇଛି । ଏଥିପାଇଁ ପଟେଲ ପୋଲିସ ବିଭାଗକୁ ଧନ୍ୟବାଦ ଦେଇଛନ୍ତି।