ଏବେ କେନ୍ଦ୍ରୀୟ ତଦନ୍ତ ନିର୍ଦ୍ଦେଶ ଦେବା ‘ବହୁତ ଶୀଘ୍ର’ ହୋଇଯିବ: ହାଇକୋର୍ଟ
ଝାରସୁଗୁଡ଼ା: ଗତ ଜାନୁଆରି 29 ତାରିଖରେ ଝାରସୁଗୁଡ଼ା ଜିଲ୍ଲାରେ ଜଣେ ପୁଲିସ କର୍ମଚାରୀଙ୍କ ଦ୍ୱାରା ମନ୍ତ୍ରୀ ନବ ଦାସଙ୍କ ଜଘନ୍ୟ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଓଡ଼ିଶା ହାଇକୋର୍ଟ ଗୁରୁବାର ଖାରଜ କରି ଦେଇଛନ୍ତି।
ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡର ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା ଚାଲିଥିବା ବେଳେ ଏହାର ସିବିଆଇ ତଦନ୍ତ ପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆବେଦନ କରାଯାଇଥିଲା।
ଏହି ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରି ଆଜି କୋର୍ଟ କହିଛନ୍ତି ଯେ ଏହି ମାମଲାକୁ ମାତ୍ର 11 ଦିନ ହୋଇଛି। ତେଣୁ ଏବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରିବା ‘ବହୁତ ଶୀଘ୍ର’ ହୋଇଯିବ।
ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରି 6 ତାରିଖରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିବା ବେଳେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି, ସିବିଆଇ ଓ କ୍ରାଇମବ୍ରାଞ୍ଚକୁ ଏଥିରେ ପକ୍ଷଭୁକ୍ତ କରାଯାଇଛି।
ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ. ପି. ଦାସଙ୍କ ତତ୍ତ୍ୱାବଧାନରେ ବହିଷ୍କୃତ ଏଏସ୍ଆଇ ଗୋପାଳ ଦାସଙ୍କ ଦ୍ୱାରା ମନ୍ତ୍ରୀଙ୍କୁ ନିର୍ମମ ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି। ଇତିମଧ୍ୟରେ 12 ଦିନ ବିତି ଯାଇଥିଲେ ମଧ୍ୟ ତଦନ୍ତକାରୀ ସଂସ୍ଥା ଏଯାବତ୍ କୌଣସି ସୁରାକ୍ ପାଇନାହିଁ ସେପଟେ ତୃତୀୟ ପର୍ୟ୍ୟାୟ ରିମାଣ୍ଡ ସମୟରେ ଗୋପାଳଙ୍କ ନାର୍କୋ ଟେଷ୍ଟ ପାଇଁ ତଦନ୍ତକାରୀ ସଂସ୍ଥା ତାଙ୍କୁ ଗୁଜରାଟର ଗାନ୍ଧିନଗରକୁ ନେଇଯାଇଛି। ଏହି 5 ଦିନିଆ ରିମାଣ୍ଡ ଅବଧି ମଧ୍ୟରେ ଗୋପାଳଙ୍କ ହତ୍ୟାକାଣ୍ଡ ପଛର କାରଣ ଖୋଜୁଛି ତଦନ୍ତକାରୀ ସଂସ୍ଥା। ଗୋପାଳଙ୍କ ସହମତି ପରେ ନାର୍କୋ ଆନାଲିସିସ୍ ଟେଷ୍ଟ ଓ ପଲିଗ୍ରାଫ୍ ଟେଷ୍ଟ ପାଇଁ କୋର୍ଟ ସିବିକୁ ଅନୁମତି ଦେଇଛନ୍ତି।