ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସଙ୍କର ହେବ ନାର୍କୋ ପରୀକ୍ଷା
ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ବହିଷ୍କୃତ ପୁଲିସ ଏଏସ୍ଆଇ ଗୋପାଳ ଦାସଙ୍କ ନାର୍କୋ ଆନାଲିସିସ୍ ଓ ପଲିଗ୍ରାଫ୍ ଟେଷ୍ଟ ହେବ। ଝାରସୁଗୁଡ଼ା ଜେଏମ୍ଏଫସି କୋର୍ଟ ଓଡ଼ିଶା କ୍ରାଇମବ୍ରାଞ୍ଚକୁ ବହିଷ୍କୃତ ପୁଲିସ ଏଏସ୍ଆଇଙ୍କ ଏହି ଦୁଇଟି ପରୀକ୍ଷା ପାଇଁ ଅନୁମତି ଦେଇଛନ୍ତି।
ଏଥିସହ ମାମଲାର ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ଆଉ 5 ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଜେଏମ୍ଏଫସି କୋର୍ଟ ଅନୁମତି ଦେଇଛନ୍ତି। ପ୍ରଥମେ ଏହି ଘଟଣାରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଗିରଫ କରାଯିବା ପରେ ତୁରନ୍ତ 4 ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଥିଲେ କୋର୍ଟ। ଏହାପରେ ଫେବ୍ରୁଆରି 4 ତାରିଖରେ ରିମାଣ୍ଡ ଅବଧିକୁ ଆଉ 4 ଦିନ ବୃଦ୍ଧି କରିଥିଲେ କୋର୍ଟ।
ଗୋପାଳ ଦାସଙ୍କ ଦ୍ୱିତୀୟ ରିମାଣ୍ଡ ଅବଧି ବୁଧବାର ଶେଷ ହୋଇଛି। ଏହି ମାମଲାର ଅଧିକ ତଦନ୍ତ ପାଇଁ ତାଙ୍କୁ ଅଧିକ ରିମାଣ୍ଡରେ ନେବାକୁ ତଦନ୍ତକାରୀ ଟିମ୍ କୋର୍ଟଙ୍କୁ ଅନୁମତି ମାଗିଥିଲେ। ଜେଏମଏଫସି କୋର୍ଟ ଏହାପରେ ଆଉ ପାଞ୍ଚ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି 29 ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଭିଯୁକ୍ତ ଏଏସ୍ଆଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇଥିଲା। ସେହିଦିନ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମନ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଘଟଣାର କିଛି ସମୟ ପରେ ଅଭିଯୁକ୍ତ ପୁଲିସ ଏଏସ୍ଆଇଙ୍କୁ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି। ପରେ ଅଭିଯୁକ୍ତଙ୍କୁ ପରଦିନ ଚାକିରିରୁ ବହିଷ୍କାର କରାଯାଇଥିଲା।