ଭାରତରେ ସକ୍ରିୟ କରୋନା ମାମଲା ୮,୨୬,୭୪୦କୁ ହ୍ରାସ, ୭୧ ଦିନରେ ସର୍ବନିମ୍ନ

0
53

ନୂଆଦିଲ୍ଲୀ: ଦେଶରେ ଦୈନିକ ନୂଆ କରୋନା ମାମଲା ଭାରତରେ କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି । ଗତ ୨୪ ଘଣ୍ଟା (ବୁଧବାର ସକାଳ ୯ଟାରୁ ଗୁରୁବାର ସକାଳ ୯ଟା) ମଧ୍ୟରେ ଦେଶରେ ୬୭,୨୦୮ ନୂଆ ମାମଲା ଚିହ୍ନଟ ହୋଇଛି । ଗତ ୧୦ ଦିନ ଧରି କ୍ରମାଗତ ଭାବେ ଦୈନିକ ୧ ଲକ୍ଷରୁ କମ୍ ମାମଲା ଆସୁଛି ।

ଭାରତରେ ସକ୍ରିୟ କରୋନା ମାମଲା ମଧ୍ୟ କ୍ର୍ରମାଗତ ଭାବେ ହ୍ରାସ ପାଉଛି । ଦେଶରେ ଆଜି ସକ୍ରିୟ ମାମଲା ରହିଛି ୮,୨୬,୭୪୦ । ୭୧ ଦିନ ପରେ ସକ୍ରିୟ ମାମଲାରେ ଏହା ସର୍ବନିମ୍ନ ।

ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୩୮,୬୯୨ ହ୍ରାସ ହୋଇଛି ଏବଂ ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୨.୭୮% ରହିଛି ସକ୍ରିୟ ମାମଲା।

କୋଭିଡ-୧୯ ସଂକ୍ରମଣରୁ ପ୍ରତିଦିନ ଅଧିକରୁ ଅଧିକ ଲୋକ ସୁସ୍ଥ ହେଉଥିବାରୁ ଗତ ୩୫ ଦିନ ଧରି ଭାରତରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣକୁ ପଛରେ ପକାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୦୩,୫୭୦ ଜଣ ସୁସ୍ଥ ହୋଇଛନ୍ତି । ଗତ କାଲି ଚିହ୍ନଟ ହୋଇଥିବା ନୂଆ କରୋନା ମାମଲା ତୁଳନାରେ ୩୬ ହଜାର (୩୬,୩୬୨) ଅଧିକ ଲୋକ ସୁସ୍ଥ ହୋଇଛନ୍ତି।

ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ କୋଭିଡ-୧୯ ସଂକ୍ରମଣରୁ ୨,୮୪,୯୧,୬୭୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୧,୦୩,୫୭୦ ଜଣ ସୁସ୍ଥ ହୋଇଛନ୍ତି । ଏହାଦ୍ୱାରା ମୋଟ ଉପରେ ଦେଶରେ ସୁସ୍ଥତା ହାର ୯୫.୯୩% ରହିଛି ଏବଂ ଏହା କ୍ରମେ ବୃଦ୍ଧି ପାଉଛି ।

ଏକ ପକ୍ଷରେ ଦେଶବ୍ୟାପୀ ଟେଷ୍ଟିଂ ବୃଦ୍ଧି ପାଇଥିବା ବେଳେ ଅନ୍ୟ ପକ୍ଷରେ ସାପ୍ତାହିକ ପଜିଟିଭିଟି ହାର କ୍ରମାଗତ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ସାପ୍ତାହିକ ପଜିଟିଭିଟି ଏବେ ୩.୯୯% ରହିଥିବା ବେଳେ ଦୈନିକ ପଜିଟିଭିଟି ରହିଛି ୩.୪୮% । କ୍ରମାଗତ ୧୦ ଦିନ ଧରି ଦୈନିକ ପଜିଟିଭିଟି ହାର ୫% ତଳେ ରହିଛି ।