?????

ଓଡ଼ିଆରେ ହେବ ଓଏଏସ ପରୀକ୍ଷା

ଭୁବନେଶ୍ୱର: ଏଣିକି ମାତୃଭାଷା ଓଡ଼ିଆରେ ଦେଇ ହେବ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା। ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ବା ଓପିଏସସି ଏହି ପରୀକ୍ଷା କରାଇଥାଏ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚିଠି ଲେଖି ଓପିଏସସିକୁ ଅବଗତ କରାଯାଇଛି। ୨୦୧୭ରୁ ଓପିଏସସି ପରୀକ୍ଷା ଓଡ଼ିଆରେ ଦେବାକୁ ନିୟମ ରହିଥିଲେ ବି ଅନେକ କ୍ଷେତ୍ରରେ ଇଂରାଜୀ ବ୍ୟବହାର ହେଉଥିଲା। ଏବେ କିନ୍ତୁ ଉଭୟ ପ୍ରିଲିମ୍, ମେନ୍ ଏବଂ ଇଣ୍ଟରଭ୍ୟୁ ଓଡ଼ିଆରେ ଦେଇପାରିବେ।

ପରୀକ୍ଷାରେ ଜଣେ କେଉଁ ଭାଷାରେ ପରୀକ୍ଷା ଦେବେ ତାହା ଆଶାୟୀ ଫର୍ମ ପୂରଣ କରିବା ବେଳେ ଉଲ୍ଲେଖ କରିବେ। ଏବେ ନୂଆ ନିୟମ ଅନୁଯାୟୀ ଫର୍ମ ପୂରଣ ବେଳେ ଓଡ଼ିଆ ଭାଷାକୁ ଚିହ୍ନଟ କରିବାକୁ ବିକଳ୍ପ ବ୍ୟବସ୍ଥା ରହିବ। ଯେଉଁଥିରେ ଇଂରାଜୀ ଭାଷା ମଧ୍ୟ ଥିବ। ପୂର୍ବରୁ ଅନେକ ରାଜ୍ୟର ଛାତ୍ରଛାତ୍ରୀ ନିଜ ମାତୃଭାଷାରେ ପରୀକ୍ଷା ଦେଉଥିଲେ। ସାରା ଭାରତରେ ୨୨ଟି ରାଜ୍ୟରେ ଛାତ୍ରଛାତ୍ରୀ ନିଜ ମାତୃଭାଷାରେ ପରୀକ୍ଷା ଦେଉଛନ୍ତି। ହେଲେ ଓଡ଼ିଶାରେ ଏହି ପରୀକ୍ଷା ଓଡ଼ିଆରେ ହେଉନଥିବାରୁ ଓଡ଼ିଆରେ ପରୀକ୍ଷା କରାଇବାକୁ ଦାବି ଉଠିଥିଲା।

ଓଡ଼ିଆ ଭାଷା ପ୍ରେମୀ ୨୦୧୧ରେ ହାଇକୋର୍ଟରେ ଏନେଇ ଏକ ଆବେଦନ କରିଥିଲେ। ଯେଉଁଥିରେ ଓଡ଼ିଆରେ ପରୀକ୍ଷା କରାଇବାକୁ ଦାବି କରିଥିଲେ।ପରେ କୋର୍ଟ ମାମଲାର ଶୁଣାଣି କରି ଓଡ଼ିଆ ଭାଷାରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ କୋର୍ଟଙ୍କ ନିର୍ଦ୍ଦେଶ ପରେ ବି କାର୍ଯ୍ୟକାରୀ ହେଉନଥିଲା। ଏବେ କିନ୍ତୁ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଏବାବଦରେ ସରକାରଙ୍କୁ ଅବଗତ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ, ସର୍ବଭାରତୀୟ ସ୍ତରରେ ପ୍ରଶାସନିକ ସେବାରେ ୧୯୮୦ ମସିହାରୁ ବହୁ ଭାଷାରେ ପରୀକ୍ଷା ହେଇ ଆସୁଛି।

ଏବେ ଓଡ଼ିଆରେ ପରୀକ୍ଷା ହେବା ନେଇ ସୂଚନା ମିଳିବା ପରେ ଅନେକ ଆଶାୟୀ ଏବେ ଉତ୍ସାହିତ ରହିଛନ୍ତି। ଓଏସ୍ଆରସିର ଉପାଧ୍ୟକ୍ଷ ସିପ୍ରା ମଲ୍ଲିକ କହିଛନ୍ତି, ଓଡ଼ିଆରେ ଓଏଏସ୍ ପରୀକ୍ଷା ଲେଖିବା ନିୟମକୁ ଏ ଯାଏ ସ୍ଥଗିତ ରଖାଯାଇଥିଲା। ଏବେ ପରୀକ୍ଷା ପ୍ରଶ୍ନପତ୍ର ଓଡ଼ିଆରେ ହେବ ଏବଂ ପରୀକ୍ଷାର୍ଥୀ ଓଡ଼ିଆରେ ଉତ୍ତର ଲେଖିପାରିବେ। ଏହା ଏବେ ଅଧିକ ସଂଖ୍ୟକ ପ୍ରାର୍ଥୀ ଓଏଏସ ପରୀକ୍ଷା ଦେବା ପାଇଁ ଆଗଭର ହୋଇପାରିବେ।

Related Articles

Leave a Reply

Back to top button
error: Content is protected !!