ସବୁଠୁ ଖୁସିରେ ରହୁଥିବା ଦେଶର ଶୀର୍ଷରେ ଫିନଲାଣ୍ଡ, ଭାରତର ସ୍ଥାନ କେଉଁଠି?
ନୂଆଦିଲ୍ଲୀ: କୋଭିଡ୍ ମହାମାରୀ, ବେରୋଜଗାରୀ ଏବଂ ସାରା ବିଶ୍ୱ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି । ଏହାରି ଭିତରେ କେଉଁ ଦେଶ ବିଶ୍ୱରେ ସବୁଠୁ ଖୁସିରେ ରହିଛି ତାର ଏକ ତାଲିକା ପ୍ରକାଶ ପାଇଛି । ଆଉ ଏଥିରେ ଲଗାତର ୫ମ ବର୍ଷ ପାଇଁ ସବୁଠି ଖୁସି ଦେଶ ତାଲିକାରେ ଫିନଲାଣ୍ଡ ରହିଛି । ଏହାର ଅର୍ଥ ଏଠିକାର ଲୋକମାନେ ବେଶ ଖୁସିରେ ଜୀପନଯାପନ କରୁଛନ୍ତି ଅନ୍ୟ ଦେଶର ଲୋକଙ୍କ ତୁଳନାରେ ।
ତେବେ ଚଳିତ ଥର ପ୍ରକାଶ ପାଇଥିବା ଏହି ୱାର୍ଲ୍ଡସ ହ୍ୟାପିଏଷ୍ଟ କଂଟ୍ରି ତାଲିକାରେ ଭାରତ ପାଇଁ ଟିକିଏ ସନ୍ତୋଷଜନକ କରିଲା ଭଳି ରିପୋର୍ଟ ପ୍ରକାଶ ପାଇଛି। ଚଳିତଥର ଭାରତ ଏହି ତାଲିକାରେ ୧୩୬ତମ ସ୍ଥାନରେ ରହିଛି । ଗତ ବର୍ଷ ଭାରତ କିନ୍ତୁ ୧୩୯ତମ ସ୍ଥାନରେ ଥିଲା। ଅର୍ଥାତ୍ କୋଭିଡ ମହାମାରୀକୁ ମାତ ଦେବାକୁ ଟିକାକରଣ ଦୃତ ଗତିରେ ହେବା, ଲକ଼ଡାଉନ ନିୟମନ କୋହଳ ହେବା ପରେ ଲୋକେ ଘରୁ ବାହାରି ନିଜର କର୍ମକ୍ଷେତ୍ରକୁ ଫେରିବା ପରେ ଭାରତବାସୀ ଟିକିଏ ଖୁିସିରେ ରହୁଛନ୍ତି । ତେଣୁ ଏବେ ଭାରତର ସ୍ଥାନ ଉପରକୁ ୩ଟି ଉନ୍ନତି ହୋଇ ୧୩୬ତମ ସ୍ଥାନରେ ପହଞ୍ଚିଛି । ତେବେ ଫିନଲାଣ୍ଡ ପ୍ରଥମ ସ୍ଥାନରେ ରହିଥିବା ବେଳେ କ୍ରମାନ୍ୱୟରେ ଡେନମାର୍କ, ଆଇଜଲାଣ୍ଡ, ସ୍ୱିଜରଲାଣ୍ଡ ଓ ନେଦରଲାଣ୍ଡ ରହିଛନ୍ତି।
ଗତବର୍ଷ ଅଧାରେ ଆଫଗାନିସ୍ତାନରେ ଦେଖାଦେଇଥିବା ତାଲିବାନ ଆକ୍ରମଣ ପାଇଁ ଏବେ ଆଫଗାନିସ୍ଥାନ ଏହି ତାଲିକାରେ ୧୪୬ ନମ୍ବର ସ୍ଥାନରେ ରହିଛି । ଏହା ଉପରକୁ ଲେବାନନ ଓ ଜିମ୍ବାୱେ ରହିଛନ୍ତି।
ସେହିପରି ବ୍ରିଟେନ ୧୭ ନମ୍ବର, ଆମେରିକା ୧୯, ଚାଇନା ୮୨, ପାକିସ୍ତାନ ୧୦୩ ନମ୍ବର ସ୍ଥାନରେ ରହିଛି । ଯୁଦ୍ଧ ପୂର୍ବରୁ ନିଆଯାଇଥିବା ଡାଟା ଅନୁସାରେ ରୁଷ ୮୦ ନମ୍ବର ସ୍ଥାନରେ ରହିଥିବା ବେଳେ ୟୁକ୍ରେନ ୯୮ତମ ସ୍ଥାନରେ ରହିଛି ।