?????

ତଲାବିରା ଥର୍ମାଲ ପାୱାର ପ୍ଲାଣ୍ଟର ପାଇଁ ବିସ୍ତାପିତଙ୍କ କ୍ଷତି ପୂରଣ ନେଇ ଆଲୋଚନା

ଝାରସୁଗୁଡ଼ା: ଏନଏଲସି ତଲାବିରା ଥର୍ମାଲ ପାୱାର ପ୍ଲାଣ୍ଟର ଦ୍ୱିତୀୟ ପୁନର୍ବାସ ଓ ପାରିପାର୍ଶ୍ବିକ ଉନ୍ନୟନ ଉପଦେଷ୍ଟା କମିଟି ବୈଠକ ଜିଲ୍ଲା ପରିଷଦ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଛି । ଏହି ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହେବାକୁ ଥିବା ଅଞ୍ଚଳର ପରିବାରବର୍ଗଙ୍କୁ ଉପଯୁକ୍ତ କ୍ଷତି ପୂରଣ ଓ ଥଇଥାନ ଏବଂ ପାରିପାର୍ଶ୍ବିକ ଉନ୍ନୟନ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।

୨୪୦୦ ମେଗାୱାଟ ବିଶିଷ୍ଟ ଏହି ପାୱାର ପ୍ଲାଣ୍ଟ ପ୍ରକଳ୍ପ ପ୍ରତିଷ୍ଠା ଦ୍ୱାରା ଶିକ୍ଷା , ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ କିପରି ଉନ୍ନତି ସାଧିତ ହେବ ସେ ନେଇ ଆଲୋଚନା ହୋଇଥିଲା । ସି ଏସ୍ ଆର ପାଣ୍ଠି ବିନିଯୋଗ ପୂର୍ବକ ଉନ୍ନତମାନର ବୈଷୟିକ ଅନୁଷ୍ଠାନ ଓ ଡାକ୍ତରଖାନା ପ୍ରତିଷ୍ଠା ସହ ଜିଲ୍ଲାବାସୀ ପ୍ରକଳ୍ପ ଦ୍ବାରା କିପରି ଅଧିକ ଉପକୃତ ହେବେ ଓ ଯଥା ସମ୍ଭବ ପ୍ରଦୂଷଣ ହ୍ରାସ ପାଇଁ ପଦକ୍ଷେପ ନେବାକୁ ଆଲୋଚନା କରାଯାଇଥିଲା ।

ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳର ବିସ୍ଥାପିତ ଏବଂ ବାସହୀନଙ୍କ ସକାଶେ ବାସପଯୋଗୀ ଗୃହ ଓ ଜମି ଯୋଗାଇଦେବା ସହ କମ୍ୟୁନିଟି ହଲ , ସ୍କୁଲ , ସ୍ୱାସ୍ଥ୍ୟ କେନ୍ଦ୍ର , ରାସ୍ତା ଓ ନାଳ , ଓଭରହେଡ ୱାଟର ଟ୍ୟାଙ୍କ , ସପିଙ୍ଗ କମ୍ପ୍ଲେକ୍ସ ଆଦି ନିର୍ମାଣ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଏହି ବୈଠକରେ ଝାରସୁଗୁଡ଼ା ଓ ରେଙ୍ଗାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ , ପ୍ରକଳ୍ପ ପ୍ରଭାବିତ ଅଞ୍ଚଳର ପ୍ରତିନିଧି ଓ ସମ୍ପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ , ବରଗଡ଼ ସାଂସଦ ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଝାରସୁଗୁଡ଼ା ଜିଲ୍ଲା ପରିଷଦ ସଭାପତି ତୁଳାବତି ମିଞ୍ଜ , ସମ୍ବଲପୁର ଜିଲ୍ଲା ପରିଷଦ ସଭାପତି, ଉତ୍ତରାଞ୍ଚଳ ଆଇ ଜି ଦୀପକ କୁମାର , ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ , ଏସ୍ ପି ରାହୁଲ ଜୈନ, ସମ୍ବଲପୁର ଏସ୍ ପି , ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ତପିରାମ ମାଝୀ , ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ , ପ୍ରକଳ୍ପ ନିର୍ଦ୍ଦେଶକ ( ପୁନର୍ବାସ ଓ ଥଇଥାନ ) ଆଲମଣି ସେଠୀ ଓ ତଲାବିରା ଥର୍ମାଲ ପାୱାର ପ୍ରଜେକ୍ଟ , ଏନ୍ ଏଲ୍ ସି ଇଣ୍ଡିଆ ଲିମିଟେଡ଼ ପ୍ରକଳ୍ପ ନିର୍ଦ୍ଦେଶକ ସାଜି ଜନ , ପ୍ରକଳ୍ପ ମୁଖ୍ୟ ଅନୁରାଗ ମିତ୍ତଲ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Leave a Reply

Back to top button
error: Content is protected !!