?????

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଂଟନ ବେଳେ ସୁରେଶ ପୂଜାରୀ ଉପସ୍ଥିତ, ବର୍ଷିଲେ ସୁର ରାଉତ ରାୟ

ଝାରସୁଗୁଡା: ସୋମବାର ବିଜୁ ସ୍ୱାସ୍ଥ୍ୟ କାର୍ଡର ବଣ୍ଟାଯାଇଛି । ରାଜ୍ୟ ସରକାର ଏହି କାର୍ଡ ବାଣ୍ଟିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଉପସ୍ଥିତ ଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ବିଜେପି ସାଂସଦ ସୁରେଶ ପୁଜାରୀ ଉପସ୍ଥିତ ଥିଲେ। ଯାହାଙ୍କୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଆଉ ବିରୋଧୀ କଂଗ୍ରେସ ସୁରେଶଙ୍କ ଉପସ୍ଥିତିକୁ ନେଇ ନିଶାନା କରିଛି।

ମଙ୍ଗଳବାର କଂଗ୍ରେସ ନେତା ସୁର ରାଉତରାୟ ଭୁବନେଶ୍ୱରରେ କହିଛନ୍ତି ବିଜେପି ଆରମ୍ଭରୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ଼କୁ ବିରୋଧ କରୁଛି। ଯେଉଁମାନେ ଏହି କାର୍ଡ ପାଇଛନ୍ତି ସେମାନେ ଚିକିତ୍ସା ପାଇଁ ଗଲାବେଳେ କିଭଳି ନାନା ଅସୁବିଧା ଭୋଗୁଛନ୍ତି ତାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ବିଜେପି ଏହାକୁ ବିଭିନ୍ନ ଫୋରମରେ ବିରୋଧ କରୁଛି। ହେଲେ ମଂଚରେ ସେହି ବିଜେପି ଦଳର ସାଂସଦ କିପରି ଶାସକ ଦଳର ନେତା ତଥା ମନ୍ତ୍ରୀଙ୍କ ସହ ବସିଲେ ବୋଲି ସୁର ପ୍ରଶ୍ନ କରିଛନ୍ତି। ଏହା ବିଜେପିର ଦୋମୁହାଁ ନୀତି ବୋଲି ସୁର କହିବା ସହିତ ସୁରେଶ ପୂଜାରୀଙ୍କ ଉପସ୍ଥିତି ବିଜେପି-ବିଜେଡି କୋଳାକୋଳି ବୋଲି ପରୋକ୍ଷରେ କହିଛନ୍ତି।

ସୁର ରାଉତ ରାୟ ବିଜେଡିକୁ ମଧ୍ୟ ଏହି ଅବସରରେ ଟାର୍ଗେଟ କରିଛନ୍ତି, ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି। ତେଣୁ ଏହା ପୂର୍ବରୁ ସ୍ମାର୍ଟ କାର୍ଡ ବାଣ୍ଟିବାରେ ସରକାର ବ୍ୟସ୍ତ । ସରକାରୀ କାମ ବି ହେଉଛି ଆଉ ପ୍ରଚାର ବି ଜମୁଛି ବୋଲି ସୁର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଜେପି ଏହି ସ୍ମାର୍ଟକୁ ବିରୋଧ କରୁଛି କିନ୍ତୁ ଏହି କାର୍ଡ ବଣ୍ଟନ ବେଳେ ଅନେକ ସ୍ଥାନରେ ବିଜେପିର ନିର୍ବାଚିତ ପ୍ରତିନିଧିମାନେ ଏହି ଅବସରରେ ସାମିଲ ହୋଇଥିବାର ନଜିର ରହିଛି। ଯାହାକି ଏହି ଯୋଜନାକୁ ବିରୋଧ କରି ବିଜେପି ଏକ ପ୍ରକାର ପ୍ରହସନ ଚଳାଇଛି ବୋଲି କଂଗ୍ରେସ ବାରମ୍ବାର କହି ଆସୁଛି।

Related Articles

Leave a Reply

Back to top button
error: Content is protected !!