?????

ଘରକୁ ଫେରିଲେ ୟୁକ୍ରେନକୁ ପାଠ ପଢିବାକୁ ଯାଇଥିବା ଝାରସୁଗୁଡାର 13 ଛାତ୍ରଛାତ୍ରୀ

ଝାରସୁଗୁଡା: ଶେଷରେ ନିଜ ବାପା, ମାଙ୍କ ପାଖରେ ପହଁଚିଛନ୍ତି ୟୁକ୍ରେନରେ ମେଡିକାଲ ପଢୁଥିବା ଝାରସୁଗୁଡାର 13 ଛାତ୍ରଛାତ୍ରୀ । ଶୁକ୍ରବାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ 13 ଛାତ୍ରଛାତ୍ରୀ ଅବତରଣ କରିବା ପରେ ସେମାନଙ୍କ ଅଭିଭାବକ ବିମାନ ବନ୍ଦରକୁ ଆସି ନିଜ ନିଜ ଘରକୁ ଫେରାଇ ନେଇଛନ୍ତି । ନିଜ ବାପା ମାଙ୍କୁ ଦେଖିବା ପରେ ଛାତ୍ରଛାତ୍ରୀମାନେ ଭାବ ବିହୋଳ ହୋଇଯାଇଥିଲେ। ସେମାନେ ଘରକୁ ଫେରି ଆସିଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ଛାତ୍ରଛାତ୍ରୀ ରୋମାନିଆରୁ ଆସି ଦିଲ୍ଲୀରେ ପହଞ୍ଚିବା ପରେ ସେଠାରୁ ଝାରସୁଗୁଡ଼ା ଆସିଥିଲେ। ଏମାନଙ୍କ ମଧ୍ୟରେ ରାଉରକେଲାର ଓଇଶିଖା ଚକ୍ରବର୍ତ୍ତୀ, ଆଶୁତୋଷ ମିଶ୍ର, ସୁଶାନ୍ତ ପାତ୍ର, ଅର୍ପିତ ସାହୁ, ସୁନ୍ଦରଗଡ଼ର ଯୋଗେଶ ଆଶିଷ ନନ୍ଦ, କୁଚିଣ୍ଡାର ଅଭିଷେକ ସାହୁ, ରେଢ଼ାଖୋଲର ପ୍ରଶାନ୍ତ ଦାଶ, ସମ୍ବଲପୁରର ମଧୁସୂଦନ ମିଶ୍ର, ପଦ୍ମପୁରର ବର୍ଷାରାଣୀ ସାହୁ, ବ୍ରଜରାଜନଗର ନିହାରରଞ୍ଜନ କୁମ୍ଭାର, ବଲାଙ୍ଗୀର ବଡ଼ମାଲର ସତ୍ୟନଶୀ ସୌମ୍ୟ, ନୂଆପଡ଼ା ଖରିଆରର ମୀନକେତନ ମେହେର ରହିଛନ୍ତି । ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ଓ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ନିରଞ୍ଜନ ମହାପାତ୍ର ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ। ଆଉ ନୂଆପଡ଼ାର ଛାତ୍ରଙ୍କୁ ପ୍ରଶାସନ ପକ୍ଷରୁ ଗାଡ଼ି ଭଡା କରି ତାଙ୍କ ଘରକୁ ପଠା ଯାଇଥିଲା। ଅନ୍ୟମାନଙ୍କୁ ତାଙ୍କ ପରିବାର ସଦସ୍ୟ ନେଇ ଆସିଥିଲେ।

ଭିନ୍ନିୟତିସିଆ ନ୍ୟାସନାଲ ମେଡିକାଲ ୟୁନିଭରସିଟି (Vinnytsia National Medical University)ରେ ପାଠ ପଢୁଥିବା ଆଶୁତୋଷ ମିଶ୍ର ନିଜ ଘରକୁ ଫେରି ଖୁସି ଅନୁଭବ କରୁଛନ୍ତି ବୋଲି କହିଛନ୍ତି । ସେ କହିଛନ୍ତି ନିଜ ନିଜ ଘରକୁ ଫେରିଥିବାରୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ । ୟୁକ୍ରେନରେ ଆମେ ଯେଉଁ ପରିସ୍ଥିତିର ସାମ୍ନା କରିଛୁ ତାହା ଦୁଃସ୍ୱପ୍ନ ବ୍ୟତୀତ ଆଉ କିଛି ନୁହେଁ । ପ୍ରବଳ ଶୀତ ଭିତରେ ତିନି ଦିନ ଧାଡିରେ ଛିଡା ହୋଇଥିଲୁ। ପରେ ପଡୋଶୀ ଦେଶ ରୋମାନିଆର ଏକ ଆଶ୍ରୟସ୍ଥଳରେ ରହିଥିଲୁ । ଏହାପରେ କେନ୍ଦ୍ର ସରକାରଙ୍କ ବିିମାନ ରୋମାନିଆରେ ଥିବା ଅନ୍ତର୍ଜାତୀୟ ବିମାନରେ ଥିଲା । ସେଠାରୁ ଆମେ ନିଜ ଦେଶକୁ ଫେରିବାରେ ସକ୍ଷମ ହୋଇଛୁ।

ୟୁକ୍ରେନରେ ବାରମ୍ବାର ବୋମା ବିସ୍ଫୋରଣ, ସାଇରନ୍ ଭଳି ଶବ୍ଦ ବାରମ୍ବାର ବାଜୁଥିଲା । ଏହାକୁ ନେଇ ଆମେ ସତର୍କ ଥିଲୁ । ବିଲ୍ଡିଂ ତଳେ ଥିବା ବେସମେଣ୍ଟ ବା ବଙ୍କର୍ ଭିତରେ ରହିଥିଲୁ । ବିଶ୍ୱବିଦ୍ୟାଳୟର ଗ୍ରାଉଣ୍ଡ ବେସମେଣ୍ଟ ଏବଂ ଆମେ ରହୁଥିବା ଆପାର୍ଟମେଣ୍ଟର ବେସମେଣ୍ଟ ବ୍ୟବହାର କରୁଥିଲୁ। ଯେପର୍ଯ୍ୟନ୍ତ ବେସମେଣ୍ଟରେ ଥିଲୁ ଖାଇବାକୁ ପାଇଥିଲୁ । କିନ୍ତୁ ରୋମାନିଆ ସୀମାରେ ପହଂଚିବା ପରେ ଆମେ ଆମକୁ କିଛି ନ ଖାଇବାକୁ ମିଳିନଥିଲା । ତିନି ଦିନ ଉପାସରେ ବିତାଇବାକୁ ପଡିଥିଲା। ତଥାପି ସେଠାରେ କିଛି ୟୁକ୍ରେନ ସ୍ୱେଚ୍ଛାସେବୀ ଥିଲେ ଯେଉଁମାନେ ଶୁଖିଲା ଖାଦ୍ୟ ବାଣ୍ଟୁଥିଲେ। ଆମେ ଖୁସି ଯେ ଆମେ ଫେରି ଆସିଛୁ କିନ୍ତୁ ଆମର  ଅନେକ ସାଙ୍ଗମାନେ ଏବେ ବି ୟୁକ୍ରେନରେ ଫସିଛନ୍ତି । ସେମାନେ କିଭଳି ନିଜ ନିଜ ଘରକୁ ଫେରିବେ ଚିନ୍ତା କରୁଛୁ।

ସେହିପରି ରାଉରକେଲାର ଅନ୍ୟ ଜଣେ ଛାତ୍ର ସୁଶାନ୍ତ କୁମାର ପାତ୍ର, ସମାନ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବର୍ଷର ମେଡିକାଲ୍ ଛାତ୍ର । ସେ କହିଛନ୍ତି, ରୋମାନିଆର ସୀମାରେ ଖାଇବାକୁ କୌଣସି ସୁବିଧା ନଥିଲା। ଆମକୁ ଏନଜିଓର କିଛି ସଦସ୍ୟ କିଛି ଶୁଖିଲା ଫଳ ଦେଇଥିଲେ ଖାଇବାକୁ। କିନ୍ତୁ ଆମେ ଏବଂ ଅନ୍ୟ ସାଙ୍ଗମାନେ ତିନି ଦିନ ଧରି ସୀମାରେ ଛିଡ଼ା ହୋଇଥିଲୁ। କିଛି ଛାତ୍ର ଛାତ୍ରୀ ଥଣ୍ଡାରେ ଛିଡା ହୋଇଥିଲେ ସେମାନଙ୍କର ଜ୍ୟାକେଟ୍ ନଥିଲା। ହେଲେ ରୋମାନିଆ ସୀମା ଅତିକ୍ରମ କରିବା ପରେ ସେଠିକାର ଲୋକେ ବହୁତ ସାହାଯ୍ୟ କରିଥିଲେ ଏବଂ ଆମକୁ ସମସ୍ତ ପ୍ରକାର ସହଯୋଗ କରୁଥିଲେ। ଖାଇବା ପିଇବା ପାଖରୁ ଆରମ୍ଭ କରି ରହିବା, ଚିକିତ୍ସା ସେବା ଆଦି ଯୋଗାଇ ଦେଇଥିଲେ। ଏହାପରେ ଭାରତ ସରକାର ଆମକୁ ରୋମାନିଆରୁ ଫେରାଇ ଆଣିଥିଲେ।

ସେହିପରି ପୁଅକୁ ପାଖରେ ପାଇ ଆତ୍ମହରା ହୋଇଥିବା ସୁଶାନ୍ତଙ୍କ ମା କହିଛନ୍ତି, ଗତ ସପ୍ତାହେ ଧରି ୟୁକ୍ରେନରେ ଅଟକି ରହିଥିଲେ ଏମାନେ। ଆମେ ଖୁସି ଯେ ବହୁ କଷ୍ଟ ପରେ ଆମେ ଆମ ପୁଅକୁ ଦେଖିବା ପାଇଁ ପାଇଲୁ । ଆଉ ସେମାନେ ସୁରକ୍ଷିତ ଭାବେ ଫେରି ଆସିଛନ୍ତି । କିନ୍ତୁ ଆମ ପରି ଅନେକ ଅଭିଭାବକଙ୍କ ପୁଅ, ଝିଅ ୟୁକ୍ରେନରେ ଅଟକି ରହିଛନ୍ତି।

 

Related Articles

Leave a Reply

Back to top button
error: Content is protected !!