ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ କାର୍ଯ୍ୟକ୍ଷମ ହେଲା ଆଉ ଏକ ଆସବାପତ୍ର କନଭୟ

0
87

ଝାରସୁଗୁଡା: ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଉ ଏକ ଆସବାପତ୍ର କନଭୟ (Baggage Conveyor) କାର୍ଯ୍ୟକ୍ଷମ ହୋଇଛି । ଏହି ସୂଚନା ଦେଇଛନ୍ତି ବିମାନ ବନ୍ଦରର ନିର୍ଦ୍ଦେଶକ ପବନ କୁମାର ଜୁଷ୍ଟି । ଯାହାକି ଯାତ୍ରୀଙ୍କର ଦୀର୍ଘ ଦିନର ଏକ ସମସ୍ୟାର ସମାଧାନ କରିଛି । ବିମାନ ବନ୍ଦରରେ ଏକା ସାଙ୍ଗରେ ଯଦି ଦୁଇଟି ବିମାନ ଅବତରଣ କରୁଥିଲା ତାହେଲେ ଯାତ୍ରୀଙ୍କ ଆସବାପତ୍ର ପାଇଁ ଅନେକ ସମୟ ଅପେକ୍ଷା କରିବାକୁ ପଡିଥିଲା । ଏବେ କିନ୍ତୁ ଆଉ ଏକ ଆସବାପତ୍ର କନଭୟ ଲାଗିବା ପରେ ସମସ୍ୟାର ସମାଧାନ ହୋଇଛି ।

ପବନ କୁମାର ଜୁଷ୍ଟି କହିଛନ୍ତି, ବିମାନ ବନ୍ଦରରେ ଯାତ୍ରୀଙ୍କର ସୁବିଧା ପାଇଁ ଆଉ ଏକ ଆସବାପତ୍ର କନଭୟ ଲାଗିଛି । ଏହା ଯାତ୍ରୀଙ୍କୁ ସୁବିଧା ଦେବ । ଏଥିପାଇଁ ବିମାନ ବନ୍ଦର 26 ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ଏହାପରେ ଯାତ୍ରୀମାନେ କୌଣସି ସମସ୍ୟା ହେବନି ଯଦି ଏକାଥରେ ଦୁଇଟି ବିମାନ ଏକାଥରେ ଅବତରଣ କରିବ ।

ତେବେ ମିଳିଥିବା ସୂଚନା ଅନୁଯାୟୀ ବିମାନ ବନ୍ଦରରେ ଆହୁରି 4ଟି ବିମାନ ରହିବା ପାଇଁ ବ୍ୟବସ୍ଥା କରିବା ନେଇ ନିର୍ମାଣ କାମ ଚାଲିଛି । ଏୟାରପୋର୍ଟ ଅଥରିଟି ଇଣ୍ଡିଆ (ଏଏଆଇ) ଏଥିପାଇଁ 12.5 କୋଟି ଟଂକାରେ କୋଲକାତାର ଏକ କମ୍ପାନୀକୁ ନିର୍ମାଣ ପାଇଁ ନିଲାମ ଦେଇଛି। ଆଉ 4ଟି ବିମାନ ରହିବା ପାଇଁ ପାର୍କିଂ ତିଆରି ହେଲେ ଏହି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଏ320 ଟାଇପର ଏୟାରବସ ଏୟାରକ୍ରାଫ୍ଟ ଅବତରଣ କରିପାରିବ । ଏବଂ ଏହି ପାର୍କିଂ ନିର୍ମାଣ କାମ ଜାନୁଆରୀ 2023 ସୁଦ୍ଧା ଶେଷ ହେବ ବୋଲି ସୂଚନା ରହିଛି। ଏହାପରେ ଏହି ବିମାନ ବନ୍ଦରରେ ଏକା ସାଙ୍ଗରେ 6ଟି ବିମାନ ରହିପାରିବ।