?????

ଝାରସୁଗୁଡାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟ ଶାସନ ସଚିବ

ଝାରସୁଗୁଡ଼ା: ଶନିବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତିର ଅନୁଧ୍ୟାନ କରିଛନ୍ତି। ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚିବା ପରେ ଡିଏମ୍ଏଫ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ସରୋଜ କୁମାର ସାମଲ ବିଭିନ୍ନ ବିଭାଗର ଜିଲ୍ଲା ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ସହ ସେ ସିଧାସଳଖ ଆଲୋଚନା କରିଥିଲେ।

ପ୍ରକଳ୍ପ ଅନୁୟାୟୀ ଅଗ୍ରଗତିର ସମୀକ୍ଷା କରି ସୁରେଶ ମହାପାତ୍ର ପ୍ରତ୍ୟେକ ପ୍ରକଳ୍ପ ପାଇଁ ବିଭିନ୍ନ କାର୍ଯ୍ୟର ସମୟସୀମା ନିର୍ଦ୍ଧାରଣ କରିଥିଲେ। କାର୍ଯ୍ୟର ଗୁଣବତ୍ତାକୁ ସୁନିଶ୍ଚିତ କରିବା ସହିତ ଅନୁଧ୍ୟାନ ମାଧ୍ୟମରେ ଦିଆଯାଇଥିବା ଅବଧି ମଧ୍ୟରେ କାମ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ମୁଖ୍ୟତଃ ପାନୀୟ ଜଳ ପ୍ରକଳ୍ପ, ମେଗା ଉଠା ଜଳସେଚନ ପ୍ରକଳ୍ପ, ହୃଦରୋଗ ଚିକିତ୍ସାଳୟର କାର୍ଯ୍ୟକାରିତା, ବାୟୁ ପ୍ରଦୂଷଣ ନିୟନ୍ତ୍ରଣ, ହୀରାକୁଦ ଜଳଭଣ୍ଡାରର ଉପକଣ୍ଠ ଅଞ୍ଚଳରେ ରହୁଥିବା ପରିବାରଙ୍କୁ ଜମି ଆବଣ୍ଟନ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବସବାସ କରୁଥିବା ଅନ୍ୟୁନ 50 ପ୍ରତିଶତ ପରିବାରକୁ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ପାଇପ୍ ଯୋଗେ ଜଳ ଯୋଗାଣ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଝାରସୁଗୁଡ଼ାଠାରେ ଥିବା ହୃଦରୋଗ ଚିକିତ୍ସାଳୟର ଅବଶିଷ୍ଟ କାମ ଶେଷ କରିବା ପାଇଁ ସମୟ ନିର୍ଘଣ୍ଟ କରିଛନ୍ତି। ବର୍ତ୍ତମାନ ଏହି ହସ୍ପିଟାଲ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଉପଯୁକ୍ତ ଡାକ୍ତରଖାନା ପରିଚାଳକ ଚୟନ କରି ପ୍ରାୟ ଛଅ ମାସ ମଧ୍ୟରେ ଡାକ୍ତରଖାନାକୁ କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ 11ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଉଛି। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସେଗୁଡ଼ିକର ସମୀକ୍ଷା କରିବା ସହ ପ୍ରତ୍ୟେକ ପ୍ରକଳ୍ପର କାର୍ଯ୍ୟ ଶେଷ କରିବା ପାଇଁ ସମୟ ନିର୍ଘଣ୍ଟ କରିଛନ୍ତି।

ମେଗା ଉଠାଜଳସେଚନ ପ୍ରକଳ୍ପଗୁଡ଼ିକୁ ବିଶ୍ୱସନୀୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବର୍ତ୍ତମାନର ବିଦ୍ୟୁତ୍ ସବ୍ ଷ୍ଟେସନ୍ଗୁଡ଼ିକର ଉନ୍ନତିକରଣ ଏବଂ ନୂତନ ସବ୍ ଷ୍ଟେସନ୍ ସ୍ଥାପନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ କୃଷି ଓ ଉଦ୍ୟାନ କୃଷି ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ଯେ, ଚାଷୀମାନଙ୍କୁ ଫସଲ ବିବିଧତା ପାଇଁ ପ୍ରୋତ୍ସାହିତ କରାଯାଉ।

ସେହିପରି ଧାନ ବ୍ୟତୀତ ଅନ୍ୟ ଚାଷର ଉପକାରିତା ସମ୍ପର୍କରେ ଚାଷୀଙ୍କୁ ବୁଝାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଚାଷୀମାନଙ୍କ ସହ ସିଧାସଳଖ ଯୋଗାଯୋଗରେ ରହିବା, ଆବଶ୍ୟକ ପରାମର୍ଶ ଦେବା, କୃଷି ଇନପୁଟ୍, ବୈଷୟିକ ଜ୍ଞାନକୌଶଳ, ଆବଶ୍ୟକସ୍ଥଳେ ସେମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ ଅଧିକାରୀମାନଙ୍କୁ କୁହାଯାଇଥିଲା।

ହୀରାକୁଦ ଜଳଭଣ୍ଡାରର ଆଡି ଅଞ୍ଚଳରେ ରହୁଥିବା ପ୍ରଭାବିତ ପରିବାରଙ୍କ ସପକ୍ଷରେ ଜମି ସର୍ଭେ ଓ ବନ୍ଦୋବସ୍ତ କାମ ଶେଷ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନାର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆୟାଇଥିଲା। ସମସ୍ତ ପ୍ରଦୂଷଣ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଶିଳ୍ପ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା।

Related Articles

Leave a Reply

Back to top button
error: Content is protected !!