ସ୍କୁଲରେ ପାଠ ପଢ଼ାର ମାନ କମୁଛି କି?

ଭୁବନେଶ୍ୱର: ସ୍କୁଲରେ ଶିକ୍ଷାର ବ୍ୟବସ୍ଥାକୁ ସୁଦୃଢ କରିବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ହେବାକୁ ହେଲେ ଜଣଙ୍କୁ ଅନେକ ପରୀକ୍ଷା ମଧ୍ୟ ଦେବାକୁ ପଡୁଛି। ହେଲେ ଏହାର ସକାରାତ୍ମକ ପ୍ରଭାବ ସେଭଳି ପଡୁଥିବା ମନେ ହେଉନାହିଁ। ଏକ ସର୍ଭେ ଅନୁଯାୟୀ ରାଜ୍ୟରେ ଏବେ ସ୍କୁଲ ତୁଳନାରେ ଟିଉସନ ବା କୋଚିଂ ଉପରେ ଛାତ୍ରଛାତ୍ରୀ ଅଧିକ ନିର୍ଭରଶୀଳ ହେଉଛନ୍ତି। ହେଲେ କୋଭିଡ ପାଇଁ ସ୍କୁଲ ବନ୍ଦ ରହିଥିବାରୁ କୋଚିଂ ବ୍ୟବସ୍ଥା ବଢିଥାଇପାରେ ବୋଲି ମଧ୍ୟ ଗୋଟିଏ ଦୃଷ୍ଟିରୁ ଆଲୋଚନା ହେଉଛି।
ରାଜ୍ୟରେ ଟିଉସନ ସଂଖ୍ୟା ବଢିଛି, ପୂର୍ବରୁ 2020ରେ 52 ପ୍ରତିଶତ ଥିବାବେଳେ 2021ରେ 66 ପ୍ରତିଶତକୁ ବୃଦ୍ଧି ପାଇଛି। ସ୍ମାର୍ଟ ଫୋନଟି କେବଳ ଅଭିଭାବକଙ୍କ ଦ୍ୱାରା ନୁହଁ ପିଲାମାନଙ୍କ ଦ୍ଵାରା ମଧ୍ୟ ତାଙ୍କର ପାଠ ପଢା ନେଇ ବ୍ୟବହାର ହୋଇଥାଏ । ପ୍ରତି ବର୍ଷ ଘରମାନଙ୍କରେ ସ୍ମାର୍ଟ ଫୋନର ଉପଲବ୍ଧତା ବଢ଼ି ଚାଲିଛି । ଏହାର ସଂଖ୍ୟା ଭାରତରେ 2018ରେ 36.5 % ତୁଳନାରେ 2021ରେ 67.7%କୁ ବୃଦ୍ଧି ପାଇଛି । ଏପରି ସମାନ ଧାରା ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳୁଛି।
ଓଡ଼ିଶାରେ ଏହି ସଂଖ୍ୟା 2018ରେ 26 ପ୍ରତିଶତ ଥିଲା ବେଳେ 2021ରେ 65 ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ତ୍ତମାନ ସମୟରେ ପିଲାମାନଙ୍କ ପାଇଁ ସ୍ମାର୍ଟ ଫୋନର ଉପଲବ୍ଧତା ଜରୁରୀ ହୋଇପଡିଛି। ଓଡ଼ିଶାରେ 65 ପ୍ରତିଶତ ଘରେ ସ୍ମାର୍ଟ ଫୋନ୍ ଥିବା ବେଳେ ସେଥିରୁ 46.5 ପ୍ରତିଶତ ଏପରି ପିଲା ଅଛନ୍ତି ଯେଉଁମାନେ ସବୁ ସମୟରେ ସ୍ମାର୍ଟ ଫୋନରେ ପାଠ ପଢୁଛନ୍ତି। ଯେତେବେଳେ କି ଏହି ସଂଖ୍ୟା ସମଗ୍ର ଭାରତରେ 27 ପ୍ରତିଶତ ରହିଛି।
ସୂଚନାଯୋଗ୍ୟ, ରାଜ୍ୟର ସମସ୍ତ ଜିଲ୍ଲାକୁ ନେଇ ଏହି ସର୍ଭେ ହୋଇଛି। ଡିଆଇଟି, ଏନଜିଓ ଏବଂ କଲେଜ ଦ୍ୱାରା ଏହି ସର୍ଭେ ହୋଇଛି। ଯେହେତୁ କରୋନା ପାଇଁ ସ୍କୁଲ ବନ୍ଦ ରହିଥିଲା ତେଣୁ ପ୍ରତ୍ୟକ୍ଷ ଭାବରେ ସ୍କୁଲକୁ ଯାଇ ଏହି ସର୍ଭେ ହୋଇପାରିନଥିବା ସୂଚନା ରହିଛି।