ଝାରସୁଗୁଡା: ତହସିଲ ଅଫିସ ଆଗରେ ଜିଲ୍ଲାର ଆଇନଜୀବୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କାମ କରିବାରେ ବିଳମ୍ବ ହେଉଛି ଏବଂ ଅନେକ କାମ ପଡି ରହିଥିବାରୁ ଏହାକୁ ବିରୋଧ କରି ଆଇନଜୀବୀ ବିରୋଧ ପ୍ରଦର୍ଶନ କରିଛନ୍ତି ।
ଝାରସୁଗୁଡା ବାର୍ ଆସୋସିଏସନର ସଭାପତି ଆଇନଜୀବୀ ତ୍ରିନାଥ ଗୁଆଲ୍ କହିଛନ୍ତି ଯେ ତହସିଲ ଅଫିସରେ ବିଭିନ୍ନ ସାର୍ଟିଫିକେଟ ଯେମିତିକି ଜାତିଗତ, ଜମି ପଟ୍ଟା ଆଦି ପଡି ରହିଛି । ଅଫିସ କାମ କରୁ ନାହିଁ। ତେଣୁ ଏପରି ଅନେକ ସାର୍ଟିଫିକେଟ ପଡି ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଆଇନଜୀବୀ ମାନେ ଯେତେବେଳେ ଏ ପ୍ରସଙ୍ଗରେ ପଚାରୁଛନ୍ତି ତହସିଲ ଅଫିସ ଭୂଆଁ ବୁଲାଉଛି ବୋଲି ଅଭିଯୋଗ ହୋଇଛି। ଏହାଦ୍ୱାରା ଜନସାଧାରଣ ଅନେକ ସମସ୍ୟା ଭୋଗୁଛନ୍ତି । ଅଧିକାରୀ ମାନେ ସେମାନଙ୍କ ଅଫିସରେ ମଧ୍ୟ ଉପସ୍ଥିତ ରହୁ ନାହାନ୍ତି। ତେଣୁ ଏହି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆଇନଜୀବୀ ମାନେ ଧାରଣାରେ ବସିବେ ବୋଲି କୁହାଯାଇଛି।
ତେବେ ଝାରସୁଗୁଡା ଅତିରିକ୍ତ ଜିଲ୍ଲାପାଳ ଶିବା ଟପ୍ପୋଙ୍କ ହସ୍ତକ୍ଷେପ ପରେ ମାମଲା ଥଣ୍ଡା ପଡିଛି । ଆଇନଜୀବୀ ମାନେ ଆନ୍ଦୋଳନରୁ ଓହରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, “ବିଚାରାଧୀନ ଥିବା କାମଗୁଡିକୁ ଶୀଘ୍ର ସାରିବା ପାଇଁ ଆମେ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଆୟୋଜନ କରିବାକୁ ଯୋଜନା କରୁଛୁ। ଏକାସାଙ୍ଗରେ, ଆମେ ରେକର୍ଡ ରୁମ କାମକୁ ମଧ୍ୟ ଶୃଙ୍ଖଳିତ କରୁଛୁ। ଏଥିସହ ସାର୍ଟିଫିକେଟ୍ କାମ ସାରିବାକୁ ଅତିରିକ୍ତ ତହସିଲଦାର ନିଯୁକ୍ତ କରିଛୁ। ”