ଝାରସୁଗୁଡା: କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ନେତୃତ୍ବରେ ଗଠିତ ୫ ଜଣିଆ କମିଟି ଝାରସୁଗୁଡା ଗସ୍ତ କରି ଉପନିର୍ବାଚନରେ କିଏ ହେବେ ପ୍ରାର୍ଥୀ ନେଇ ସ୍ଥିତି ପରଖିଛନ୍ତି। ସାଲୁଜାଙ୍କ ରିପୋର୍ଟ ଆଧାରରେ ବିଧାୟକ ପ୍ରାର୍ଥୀ କିଏ ହେବେ ତାହା ପିସିସି ଓ ଏଆଇସିସି ନିଷ୍ପତ୍ତି ନେବ।
ଗତକାଲି ସାଲୁଜାଙ୍କ ଟିମ୍ ଝାରସୁଗୁଡାରେ ପହଁଚିଥିଲା। ଏହାପରେ କିରମିରା, ଲାଇକେରା ଓ କୋଲାବିରା ବ୍ଲକ ଅଞ୍ଚଳକୁ ଯାଇ କଂଗ୍ରେସ କର୍ମୀ ଓ ପଦାଧିକାରୀଙ୍କୁ ଭେଟି ମତାମତ ଲୋଡ଼ିଥିଲେ। ଦଳ ମୁଖ୍ୟତଃ 3 ଜଣ ପ୍ରାର୍ଥୀଙ୍କ ବାବଦରେ ମତାମତ ଲୋଡୁଛି।
ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ଫିଲ୍ଡରୁ ସାଧାରଣ ଲୋକଙ୍କ ସହ କଂଗ୍ରେସ କର୍ମୀ ଓ ନେତାଙ୍କ ମତାମତ ଲୋଡାଯାଉଛି। ରିପୋର୍ଟ ପିସିସି ନିକଟରେ ଦାଖଲ ହେବ। ଏହାପରେ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ଯେଉଁ ପ୍ରାର୍ଥୀଙ୍କର ଜିତିବା ସମ୍ଭାବନା ଅଧିକ ରହିବ ତାଙ୍କୁ ଦଳ ଟିକେଟ ଦେବ।
ଉଲ୍ଲେଖଯୋଗ୍ୟ, ଝାରସୁଗୁଡା ଏକଦା କଂଗ୍ରେସର ଗଡ଼ ଥିଲା। ଦିବଂଗତ ନେତା ନବ କିଶୋର ଦାସ ବିଜେଡିକୁ ଯିବା ପରେ ହିଁ ପ୍ରଥମ ଥର ପାଇଁ ବିଜେଡି ଏହି ଜିଲ୍ଲାର ବିଧାୟକ ଆସନ ଜିତିଥିଲା। ଏହାପୂର୍ବରୁ ନବ ଦାସ ନିଜେ କଂଗ୍ରେସରୁ ପ୍ରାର୍ଥୀ ହୋଇ ବିଧାୟକ ହୋଇଥିଲେ। ଏବେ ବିଜେଡି ପ୍ରାର୍ଥୀ ଭାବେ ତାଙ୍କ ଝିଅ ଦୀପାଳି ଦାସୀଙ୍କୁ ଦଳ ଟିକେଟ୍ ଦେଇଛି। ସେହିପରି ବିଜେପି ମଧ୍ୟ ଦୁଇ ତିନି ଜଣ ନାମକୁ ନେଇ ଚର୍ଚ୍ଚା କରୁଛି। ଦଳ ଯଦିଓ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି କିନ୍ତୁ ଆଗରେ ଦଳର ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀ ରହିଥିବା ସୂଚନା ରହିଛି।