ଚିତା ବାଘ ଚମଡା ଜବତ କଲା ଏସଟିଏଫ, ତିନି ଗିରଫ

ଝାରସୁଗୁଡ଼ା: ଅତର୍କିତ ଚଢାଉ କରି ଏସଟିଏଫ ବାଘ ଛାଲ ଜବତ କରିଛି। ଝାରସୁଗୁଡ଼ା-କୁଚିଣ୍ଡା ରାସ୍ତା ମଝିରେ ଥିବା ମାଳିଡିହି ଛକରୁ ଏସଟିଏଫ ଏହି ବାଘ ଛାଲ ଜବତ କରିଛି। ମୋଟ୍ ତିନୋଟି ଚିତା ବାଘ ଚମଡା ଜବତ ହୋଇଛି।
ଗିରଫ ଅଭିଯୁକ୍ତ କୋଲାବିରା ଥାନା ଅନ୍ତର୍ଗତ ଯୋଗିଡିହି ଗ୍ରାମର ସୁମିତ କୁମାର ପଟେଲ ବୋଲି ଚିହ୍ନଟ ହୋଇଥିବା ବେଳେ ଦ୍ବିତୀୟ ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲାର ସୁଦୁପଡା ଗାଁର କୃପା ସାହୁ। ସେହିପରି ତୃତୀୟ ଅଭିଯୁକ୍ତ ସମ୍ବଲପୁର ଜିଲ୍ଲା ପଳଶାମଲ ଗାଁର ଆଦିତ୍ୟ ପାତ୍ର ବୋଲି ଏସଟିଏଫ ଚିହ୍ନଟ କରିଛି।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ପୁଲିସ ସହାୟତାରେ ସ୍ପେଶାଲ ଟାସ୍କ ଫୋର୍ସର ଏକ ଟିମ୍ ଅକ୍ଟୋବର 14 ଓ 15ରେ ରେଡ୍ କରିଥିଲା। ତଦନ୍ତ ବେଳେ ତିନୋଟି ଚିତାବାଘର ଚମଡା ଏବଂ ଅନ୍ୟାନ୍ୟ ଅପରାଧୀ ସାମଗ୍ରୀ ସେମାନଙ୍କ ନିକଟରୁ ଜବତ କରିଛି ଏସଟିଏଫ୍ ଟିମ୍। ପୋଲିସ ଏହି ମାମଲାରେ ବନ୍ୟ ପ୍ରାଣୀ ସୁରକ୍ଷା ଅଧିନିୟମ 1972 ଅଧୀନରେ ଏକ ମାମଲା ରୁଜୁ କରି ତଦନ୍ତ କରିଛି।