ଡାକ୍ତର ଥିଲେ ଏବେ ଆଇଏଏସ ହେବେ ଝାରସୁଗୁଡା ଝିଅ

0
104

ଝାରସୁଗୁଡା: କୁହାଯାଏ, ଆଜିର ଦିନରେ ଯଦି ମୋବାଇଲ ନେଟଓ୍ୱର୍କ ବା ଇଣ୍ଟରନେଟ ନାହିଁ ତାହେଲେ ମଣିଷ ଗୋଟିଏ ପାଦ ଆଗକୁ ବଢ଼ାଇବା କଷ୍ଟକର। କିନ୍ତୁ ଆଉ ଏକ ଲୋକକଥା ମଧ୍ୟ ଅଛି, ଇଚ୍ଛା ଥିଲେ ସବୁକିଛି ବାଟ ଫିଟିଯିବ। ଏହି ଦୁଇଟି ଲୋକ କଥା କିନ୍ତୁ ପରସ୍ପରର ପରିପୂରକ । କିନ୍ତୁ ଏହି ଦୁଇ ଲୋକକଥାର ଅର୍ଥ ସେତେବେଳେ ବୁଝିହେବ ଯେତେବେଳେ ଜଣେ ଡାକ୍ତର ରୀନା ପ୍ରଧାନ କିଭଳି ଚାକିରିରେ ଥାଇ ୟୁପିଏସସି ପରୀକ୍ଷାରେ ସଫଳତା ପାଇଛନ୍ତି ଏବଂ ତାଙ୍କର ପ୍ରସ୍ତୁତିକୁ ଅନୁଧ୍ୟାନ କରାଯିବ। ରୀନା ପ୍ରଧାନ ଏବେ ନବରଙ୍ଗପୁରର ଜଣେ ଡାକ୍ତର । ଏବେ ପ୍ରକାଶିତ ହୋଇଥିବା ୟୁପିଏସସି 2020 ପରୀକ୍ଷାରେ ସେ 194 ନମ୍ବର ରାଙ୍କ ରଖି ସଫଳତା ହାସଲ କରିଛନ୍ତି।

ଡାକ୍ତର ରୀନା ପ୍ରଧାନ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହେଲା ପରେ ପ୍ରତିକ୍ରିୟାରେ କହିଛନ୍ତି, ସେ ଏବେ ଯେଉଁଠି ଡାକ୍ତର ଭାବରେ ନିୟୋଜିତ ଅଛନ୍ତି ସେଠାରେ ମୋବାଇଲ ନେଟଓ୍ୱର୍କ ଠିକ୍ ଭାବରେ ଆସେ ନାହିଁ। ସେ କିନ୍ତୁ ଅନ୍ ଲାଇନ ୟୁପିଏସସି ପ୍ରସ୍ତୁତି କରୁଥିଲେ। ତେଣୁ ଆବଶ୍ୟକ ମେଟେରିଆଲ ବା ଭିଡିଓ ଟ୍ୟଟରିଆଲକୁ ସେ ତାଙ୍କ ସାନ ଭାଇ ଆଶିଷଙ୍କୁ ଡାଉନଲୋଡ କରି ପଠାଇବାକୁ କହୁଥିଲେ। ଯିଏକି ଏବେ ବୁର୍ଲାର ଜଣେ ଏମଟେକ ଛାତ୍ର। ସ୍ମାର୍ଟଫୋନ୍ ଓ କମ୍ପ୍ୟୁଟର ଆଦି ଉପକରଣ ଡାକ୍ତର ରୀନା ପ୍ରଧାନଙ୍କ ହାତ ପାହାନ୍ତାରେ ଥିଲା। କିନ୍ତୁ ତାଙ୍କ ପାଠ ପଢାରେ ବଡ ପ୍ରତିବନ୍ଧକ ସାଜିଥିଲା ମୋବାଇଲ ନେଟଓ୍ୱର୍କ ବା ଇଣ୍ଟରନେଟ । ଯାହାକି ତାଙ୍କ ହାତରେ ନଥିଲା। କିନ୍ତୁ ପରୀକ୍ଷାରେ ସଫଳ ହେବାର ଝୁଙ୍କ ଆଜି ତାଙ୍କୁ ପୁରସ୍କାର ଦେଇଛି ।

ରୀନା ସଫଳତା ହାସଲ କରିବା ପରେ ପ୍ରତିକ୍ରିୟାରେ କହିଛନ୍ତି, ତାଙ୍କ ବାପା ବ୍ସକରେ କାମ କରୁଥିଲେ। ଏବିଡିଓ ହୋଇ ଅବସର ଗ୍ରହଣ କରିଛନ୍ତି । ତେଣୁ ଲୋକଙ୍କ ସମସ୍ୟାକୁ ବହୁ ନିକଟରୁ ଦେଖିଛନ୍ତି । ଏହାବାଦ ସେ ଜଣେ ମହିଳା । ତେଣୁ ଆଗାମୀ ଦିନରେ ସେ ମହିଳାଙ୍କ ପାଇଁ ଏବଂ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଡାକ୍ତର ରୀନା ପ୍ରଧାନଙ୍କ ବାପା ହେଉଛନ୍ତି ଧରଣୀଧର ପ୍ରଧାନ । ସେ ଲେଫ୍ରିପଡା ଏବିଡିଓ ଭାବରେ ଅବସର ଗ୍ରହଣ କରିସାରିଛନ୍ତି । ତାଙ୍କ ମାଆ କଲ୍ୟାଣୀ ପ୍ରଧାନ ଜଣେ ଗୃହିଣୀ। ଘର ରସୁଗୁଡ଼ା ସହର ସରବାହାଲ୍‌ ଅଞ୍ଚଳର। ରୀନା ଝାରସୁଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରୁ ଦଶମ ପାସ୍‌ କରିବା ପରେ ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟରୁ +2 ବିଜ୍ଞାନ ପାସ କରିଥିଲେ। 2016ରେ ସେ ମେଡିକାଲ ପାସ କରିଥିଲେ। ଏହାପରେ ସେ ୟୁପିଏସସି ପ୍ରସ୍ତୁତି ପାଇଁ ତିନି ମାସ ଦିଲ୍ଲା ଯାଇଥିଲେ। ସେ ତୃତୀୟ ପର୍ଯ୍ୟାୟରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦ୍ୱିତୀୟ ଥର ସେ ସାକ୍ଷାତକାର ଯାଏ ସଫଳତା ହାସଲ କରିଥିଲେ।