ବର୍ଷର ଶେଷ ଦୁଇ ଦିନ କିପରି ରହିବ ଜିଲ୍ଲାର ପାଗ, ଆକଳନ କଲା ପାଣିପାଗ ବିଭାଗ

0
47

ଭୁବନେଶ୍ୱର: ବର୍ଷ ସରିବାକୁ ଆଉ ଦୁଇ ଦିନ । ଯେଉଁ ସମୟରେ ଶୀତ ହେବା କଥା ସେହି ସମୟରେ ବର୍ଷା ହେବା ସହିତ ପ୍ରବଳ କୁହୁଡି ପଡିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ପଡିବ ବୋଲି ଆକଳନ ହୋଇଛି। ଯେଉଁଥିରେ ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ସମ୍ବଲପୁର, ଦେଓଗଢ, ଅନୁଗୋଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ରହିଛି।

ବୁଧବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ଏପରି ଆକଳନ କରିଛି। ଏଥିସହ ସଂପୃକ୍ତ ଜିଲ୍ଲା ଗୁଡିକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି । ସେହିପରି ଉତ୍ତର ଓଡିଶାରେ କୁହୁଡି ଆଛାଦିତ ହୋଇ ରହିବ ବୋଲି ଆକଳନ ହୋଇଛି। ତେବେ ଡିସେମ୍ବର 31 ତାରିଖ ଦିନ ଆକାଶ ଶୁଖିଲା ରହିବ। ହେଲେ ଉତ୍ତର ଓଡିଶା, ପୁରୀ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ ଏବଂ ବୈଦ୍ଧ ଜିଲ୍ଲାରେ କୁହୁଡି ଦେଖାଦେଇପାରେ। ତେଣୁ ଡିସେମ୍ବର 31 ପାଇଁ 15ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଯେଉଁଥିରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଧା, ପୁରୀ, ନୟାଗଡ, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ରହିଛି । ତେବେ ଏହି ଦୁଇ ଦିନରେ ବିଶେଷ ଶୀତ ଅନୁଭୂତ ହେବନି ବୋଲି ଜଣାପଡିଛି।