ନବଜାତଙ୍କ ସହ ପ୍ରସୂତୀଙ୍କର ମୃତ୍ୟୁ, ମୁଖ୍ୟ ଚିକିତ୍ସାଳୟ ବିରୋଧରେ ସଂଗୀନ ଅଭିଯୋଗ

ଝାରସୁଗୁଡା: ଝାରସୁଗୁଡ଼ା ମୁଖ୍ୟ ଚିକତ୍ସାଳୟରେ ଜଣେ ପ୍ରସୂତୀଙ୍କ ସହିତ ନବଜାତର ମୃତ୍ୟୁ ଘଟିଛି । ଚିକିତ୍ସାରେ ଅବହେଳା ହୋଇଥିବାରୁ ଏପରି ହୋଇଛି ବୋଲି ମୃତ ମହିଳାଙ୍କ ସ୍ୱାମୀ ଓ ଶାଶୁ ଅଭିଯୋଗ କରିଛନ୍ତି। ମହିଳାଙ୍କ ଶାଶୁ କନକ ବେହେରା ଅଭିଯୋଗ କରିଛନ୍ତି ଯେ ତାଙ୍କ ବୋହୂ ସୁନୀତା (30)ଙ୍କର ଠିକ୍ ଭାବରେ ଚିକିତ୍ସା ନହେବାରୁ ନବଜାତ ଶିଶୁ ଓ ବୋହୁର ମୃତ୍ୟୁ ଘଟିଛି ।
ସେ କହିଛନ୍ତି, ଗତକାଲି ସଂଧ୍ୟାରେ ତାଙ୍କ ବୋହୁର ପେଟରେ ଯନ୍ତ୍ରଣା ହୋଇଥିଲା। ଏହାପରେ ତାଙ୍କୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହାପରେ ଆଜି ସକାଳେ ପ୍ରସୂତି ଏକ ମଲା ପୁଅକୁ ଜନ୍ମ ଦେଇ ନିଜେ ବେହୋସ ହୋଇଯାଇଥିଲେ । ଏହି ସମୟରେ ପ୍ରସୂତିଙ୍କୁ ଠିକ୍ ଭାବରେ ଚିକିତ୍ସା ଯୋଗାଇ ଦିଆଯାଇନଥିଲା ତେଣୁ ବୋହୂର ମୃତ୍ୟୁ ଘଟିଛି।
ହସ୍ପିଟାଲର ଡାକ୍ତର ବୁଲୁ ନାଏକ କହିଛନ୍ତି, ପ୍ରସୂତୀଙ୍କ ପେଟରେ ଶିଶୁଟି ମରି ଯାଇଥିଲା। ହେଲେ ପ୍ରସୂବ ପରେ ଫୁଲ ବାହାରି ପାରିନଥିଲା। ଏହାପରେ ରକ୍ତଚାପ ବଢ଼ି ଯାଇଥିଲା। ତେଣୁ ସେ ଗୁରୁତର ହୋଇପଡିଥିଲେ ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ, ମୃତ ସୁନୀତାଙ୍କ ସ୍ୱାମୀ କିର୍ମିରା ବ୍ଲକ ନକ୍ସାପାଲି ଗ୍ରାମର ଜଣେ ଦିନ ମଜୁରିଆ।