ଏପ୍ରିଲରୁ ସ୍କୁଲରେ ଦିଆଯିବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର: ଏପ୍ରିଲ ମାସରୁ ସ୍କଲରେ ମିଳିବ ମଧ୍ୟାହ୍ନ ଭୋଜନ । ସ୍କୁଲ ଓ ଗଣଶିକ୍ଷା ବିଭାଗର ନୋଡାଲ ଅଫିସର ସନତ କୁମାର ମହାନ୍ତି ଏହି ସୂଚନା ଦେଇଛନ୍ତି। ଏଥିସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ମଧ୍ୟାହ୍ନ ଭୋଜନ ଏପ୍ରିଲରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମଧ୍ୟାହ୍ନ ଭୋଜନ ରୋଷେଇ ବେଳେ କିମ୍ବା ଖାଇବା ବେଳେ କୋଭିଡ ଗାଇଡଲାଇନ୍ କଡାକଡି ଭାବେ ପାଳନ ହେବ । ଏ ନେଇ ଏସଓପି ଜାରି ହୋଇଛି । ପିଲାଙ୍କ ଖାଇବା ସ୍ଥାନ ପରିଷ୍କାର ରହିବା ସହିତ ହାତ ଧୋଇବା ସ୍ଥାନରେ ସାନିଟାଇଜର ବ୍ୟବସ୍ଥା କରିବାକୁ ସରକାର କହିଛନ୍ତି। କୋଭିଡ ପାଇଁ ଦୀର୍ଘ ଦୁଇ ବର୍ଷରୁ ଅଧିକ ଦିନ ହେବ ରନ୍ଧା ଖାଦ୍ୟ ପରସା ଯାଉନଥିଲା। ଏବେ କିନ୍ତୁ ସ୍କୁଲ ଖୋଲିବା ପରେ ଗଣଶିକ୍ଷା ବିଭାଗ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
କୋଭିଡ ପରଠାରୁ ମଧ୍ୟାହ୍ନ ଭୋଜନରେ ଯେଉଁ ରନ୍ଧା ଖାଦ୍ୟ ପିଲାଙ୍କୁ ଦିଆଯାଉଥିଲା ତାହା ବନ୍ଦ ଥିଲା। ଫଳରେ ପିଲାଙ୍କୁ ଶୁଖିଲା ରାସନ ଦିଆଯାଉଥିଲା। ରନ୍ଧା ବାବଦ ଅର୍ଥ ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯାଉଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅନୁଦାନ ମିଳୁଥିଲା। ବର୍ତ୍ତମାନ ସ୍କୁଲ ଖୋଲିଛି। ତେଣୁ ରନ୍ଧାଖାଦ୍ୟ ପିଲାଙ୍କୁ ଦେବାକୁ ନିଷ୍ପତ୍ତି ନିଆଯାଇଛି।
ସେହିପରି ୨୦୨୦ ମାର୍ଚ୍ଚ ୧୩ ତାରିଖରୁ ମଧ୍ୟାହ୍ନଭୋଜନ ବନ୍ଦ ଥିବାରୁ ଯାହା ମହଜୁଦ ଥିଲା ତାହା ନଷ୍ଟ ହୋଇଯାଇଥିବ। ତେଣୁ ତାହାକୁ ତଦନ୍ତ କରି ସ୍କୁଲର ପ୍ରଧାନ ଶିକ୍ଷକ କିମ୍ବା ଉଚ୍ଚ ଅଧିକାରୀଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି। ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ବେଳେ ସିଆରସିସି, ବିଇଓ ଓ ଡିଇଓ ମନିଟରିଂ କରିବାକୁ ନିର୍ଦ୍ଦେଶ ରହିଛି।