?????

ଶୋଇଥିବା ବେଳେ ରାତିରେ ଅଗ୍ନିକାଣ୍ଡ: ଜଣେ ମୃତ, ଦୁଇ ଆହତ

ବ୍ରଜରାଜନଗର: ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏକ ଘରେ ନିଆଁ ଲଗାଇଦେବା ଫଳରେ ଜଣେ 32 ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ସେହିପରି ମୃତକଙ୍କ ସ୍ୱାମୀ ଓ 12 ବର୍ଷୀୟ ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳାଙ୍କ ନାମ ସୁଶୀଲା ଦେବାଙ୍ଗନ ଏବଂ ଆହତ ସ୍ୱାମୀଙ୍କ ନାମ ଟିକେଶ୍ୱର ଦେବାଙ୍ଗନ (45) ଏବଂ ତାଙ୍କ 12 ବର୍ଷର ପୁଅ ବୀର ଦେବାଙ୍ଗନ ବୋଲି ଜଣାପଡିଛି।

ଗୁରୁବାର ଭୋର୍ ପ୍ରାୟ 3ଟା ବେଳେ ଏହିପରି ଏକ ଅଭାବନୀୟ ଘଟଣା ଘଟିଛି। ଟିକେଶ୍ୱର ଓ ତାଙ୍କ ପତ୍ନୀ ଓ 12 ବର୍ଷର ପୁଅ ଗୋଟିଏ ଘର ଭିତରେ ଶୋଇଥିଲେ। ଏହି ସମୟରେ କେହି ଜଣେ ଦୁର୍ବୃତ୍ତ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଗୋଟିଏ ପରିବାରର ତିନି ଜଣ ସଦସ୍ୟ ଗୁରୁତର ଆହତ ହୋଇଥିଲେ। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିବା ପରେ ଗୁରୁତର ଅବସ୍ଥାରେ ପରିବାର ଲୋକଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।

ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ ପ୍ରାୟ 92 ପ୍ରତିଶତ ପୋଡ଼ିଯାଇଥିଲା ସୁଶୀଲାଙ୍କ ଶରୀର। ତେଣୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ଆଉ ସେ ବୁର୍ଲା ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସ୍ୱାମୀ ଟିକେଶ୍ୱର ଏବଂ ତାଙ୍କ 12 ବର୍ଷର ପୁଅ ଏବେ ଭିମସାରରେ ଚିକିତ୍ସିତ ହେଉଛନ୍ତି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ବ୍ରଜରାଜନଗର ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

 

Related Articles

Leave a Reply

Back to top button
error: Content is protected !!