ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ

0
70

କଟକ: ପ୍ରକାଶ ପାଇଲା 2020-21ର ଅଫ୍ ଲାଇନ୍ ମାଟ୍ରିକ ପରୀକ୍ଷା ଫଳ। ମଙ୍ଗଳବାର ଅପରାହ୍ନରେ ପ୍ରକାଶ ପାଇଛି ପରୀକ୍ଷାଫଳ। ଯେଉଁଥିରେ ପାସ୍ ହାର 80.83 ପ୍ରତିଶତ ରହିଛି। ମୋଟ୍‌ 5233 ଜଣ ବୋର୍ଡ ଦ୍ୱାରା ଦିଆଯାଇଥିବା ମାର୍କରେ ଅସନ୍ତୋଷ ପ୍ରକାଶ କରି ପରୀକ୍ଷା ଦେଇଥିଲେ। ଯେଉଁଥିରେ 3100 ଜଣ ଛାତ୍ର ରହିଥିବା ବେଳେ 2133 ଜଣ ଛାତ୍ରୀ ରହିଥିଲେ।

ଅଫ୍‌ଲାଇନ୍‌ ପରୀକ୍ଷାରେ 141 ଜଣ ଛାତ୍ରଛାତ୍ରୀ ଫେଲ୍‌ ହୋଇଛନ୍ତି। ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ବିଏସଇ) ଅନୁଯାୟୀ, 42 ଜଣ ଛାତ୍ର A1 ଗ୍ରେଡ୍, 255 ଜଣ A2 ଗ୍ରେଡ୍, 348 ଜଣ B1, 458 ଜଣ B2, 599 ଜଣ C, 846 ଜଣ D, 2685 ଜଣ E ଏବଂ 141 F ଗ୍ରେଡ୍ ପାଇଛନ୍ତି। ବୋର୍ଡ କହିଛି ଯେ ବିକଳ୍ପ ମୂଲ୍ୟାଙ୍କନ ପଦ୍ଧତିରେ ପାଇଥିବା ଗ୍ରେଡ୍ ତୁଳନାରେ 271 ଜଣ ପରୀକ୍ଷାର୍ଥୀଙ୍କ ଗ୍ରେଡରେ ଉନ୍ନତି ହୋଇଛି। 459 ଜଣ ପରୀକ୍ଷାର୍ଥୀଙ୍କ ଗ୍ରେଡ୍ ହ୍ରାସ ପାଇଛି।

ତେବେ ପରୀକ୍ଷା ଫଳାଫଳକୁ ନେଇ କେହି ଅସନ୍ତୋଷ ଥିଲେ ରି-ଚେକିଂ ପାଇଁ ଆବେଦନ କରିପାରିବେ ବୋଲି ବୋର୍ଡ କହିଛି। ସେପ୍ଟେମ୍ବର 8 ରହିଛି ରିଚେକିଂ କରିବା ପାଇଁ ଆବେଦନର ଅନ୍ତିମ ତାରିଖ।

କୋଭିଡ-19 ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିୟମକୁ ଦେଖି ଏହି ପରୀକ୍ଷା ହୋଇଥିଲା। ଜୁଲାଇ 30 ରୁ ଆରମ୍ଭ ହୋଇଥିବା ଏହି ମାଟ୍ରିକ ପରୀକ୍ଷା ଅଗଷ୍ଟ 5ରେ ଶେଷ ହୋଇଥିଲା। ରାଜ୍ୟରେ ମୋଟ୍ 504ଟି କେନ୍ଦ୍ରରେ ଅଫଲାଇନ୍ ପରୀକ୍ଷା କରାଯାଇଥିଲା।

ଫେଲ ହୋଇଥିବା ଛାତ୍ରଛାତ୍ରୀ କିଛି ବିଷୟରେ ପରୀକ୍ଷା ଦେଇଥିବା ବେଳେ କିଛି ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ। ତେବେ କରୋନା କାଳରେ ପରୀକ୍ଷା ହୋଇଥିବାରୁ ବିଭିନ୍ନ କାରଣ ପାଇଁ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିନାହାନ୍ତି। ତେଣୁ ଅନୁପସ୍ଥିତ ହୋଇ ଫେଲ ହୋଇଥିବା ଛାତ୍ରଛାତ୍ରୀ ପୂର୍ବରୁ ଯେଉଁ ନମ୍ବର ରଖିଥିଲେ ସେହି ନମ୍ବର ଗ୍ରହଣ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।