ଯୋଗୀ ପରେ ନବୀନ ଟିକାକରଣ ପାଇଁ କରିବେ ଗ୍ଲୋବାଲ ଟେଣ୍ଡର

ଭୁବନେଶ୍ୱର: ଉତ୍ତର ପ୍ରଦେଶ ସରକାର ରାଜ୍ୟରେ ଟିକାକରଣକୁ ଜୋରଦାର କରିବା ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିବା ପରେ ଓଡ଼ିଶା ମଧ୍ୟ ସମାନ ନୀତି ଆପଣାଇଛି। ମେ 8ରେ ଯୋଗୀ ସରକାର ଟିକାକରଣ କରିବାକୁ ନିଷ୍ପତ୍ତି ନେବା ପରେ ମେ 10ରେ ନୀବନ ସରକାର ଗ୍ଲୋବାଲ ଟେଣ୍ଡର ଜରିଆରେ ବିଭିନ୍ନ ଟିକା କମ୍ପାନୀଠୁ ଟିକା କିଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗର 2ଟି ଉଚ୍ଚସ୍ତରୀୟ କମିଟି ଗଠନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଓଡ଼ିଶା ସରକାର ଟିକାକୁ ପ୍ରମୁଖ ଅସ୍ତ୍ର କରିଛନ୍ତି। ତେଣୁ 18ରୁ ଅଧିକ ବର୍ଗର ଲୋକଙ୍କୁ କିଭଳି ଅଧିକରୁ ଅଧିକ ଟିକା ଦେଇହେବ ସେ ନେଇ ଓଡ଼ିଶାର ନବୀନ ସରକାର ଗୁରୁତ୍ୱ ଦେଇଛନ୍ତି।
ରାଜ୍ୟରେ 18ରୁ 44ବର୍ଷ ବୟସର ଲୋକଙ୍କ ମାଗଣା ଟିକାକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ କାର୍ଯ୍ୟକାରୀ ନିମନ୍ତେ ମୋଟ 3କୋଟି 87ଲକ୍ଷ 39ହଜାର 022ଟି ଡୋଜ୍ କୋଭିଡ୍ ଟିକାର ଆବଶ୍ୟକତା ରହିଛି।
10 ଜଣିଆ ବୈଷୟିକ କମିଟିରେ ଆରଏମଆରସି ନିର୍ଦ୍ଦେଶକ, ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ, ପରିବାର କଲ୍ୟାଣ ନିର୍ଦ୍ଦେଶକ, ଓଡ଼ିଶା ଔଷଧ ନିଗମ ଜେନେରାଲ ମ୍ୟାନେଜର, ଡ୍ରଗ୍ସ କଣ୍ଟ୍ରୋଲର, ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ରାଜ୍ୟ ଅଫିସର ପ୍ରତିନିଧି ଓ ଔଷଧ ନିଗମର ସହାୟକ ମ୍ୟାନେଜର ମଧ୍ୟ ସଦସ୍ୟ ରହିବେ।
ସେହିଭଳି ପରିଚାଳନା କମିଟିରେ ଓଡ଼ିଶା ରାଜ୍ୟ ମେଡିକାଲ ନିଗମ ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ପରିଚାଳନା କମିଟି ଗଠନ ହୋଇଛି। ଏଥିରେ 9ଜଣିଆ କମିଟି ରହିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ, ଅର୍ଥ ବିଭାଗର ପ୍ରତିନିଧି, ପରିବାର କଲ୍ୟାଣ ନିର୍ଦ୍ଦେଶକ, ଓଡ଼ିଶା ଔଷଧ ନିଗମର ଜେନେରାଲ ମ୍ୟାନେଜର(ଅର୍ଥ), ଏନଏଚଏମର ସିନିୟର କନସଲଣ୍ଟାଣ୍ଟ ଓ ଅନ୍ୟମାନେ ରହିବେ। ଏହି ଦୁଇ କମିଟି କୋଭିଡ୍ ଟିକାର ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ନିର୍ଦ୍ଧାରଣ ଓ ଟିକା କିଣିବା କାମ କରିବ। ଏହି ଦୁଇ କମିଟିକୁ ମଧ୍ୟ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି ବୋଲି ଜଣାପଡ଼ିଛି।
ଭରତ ବାୟୋଟେକ୍ ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ଟିକା ଯୋଗାଇବାକୁ ଗୁରୁତ୍ୱ ଦିଆଯାଉଛି। ତେଣୁ ଲକ୍ଷ୍ୟ ରଖାଯାଇଥିବା ଜନସଂଖ୍ୟାକୁ ଟିକା ଦେବା ପାଇଁ ମାସେ ସମୟ ଲାଗିବ ଏବଂ ଟିକାକରଣର ଉଦ୍ଦେଶ୍ୟ ହାସଲ ହୋଇପାରିବ ବୋଲି ସରକାରୀ ବିବୃତ୍ତିରୁ ଜଣାପଡ଼ିଛି।
“ଗ୍ଲୋବାଲ୍ ଟେଣ୍ଡର ମାଧ୍ୟମରେ ଅନ୍ୟ ଉତ୍ସରୁ ଟିକା କିଣିବା ବୃଦ୍ଧି କରିବାର ଏକ ଜରୁରୀ ଆବଶ୍ୟକତା ରହିଛି। ଲୋକେ ଟିକା ନେବାକୁ ଆଗ୍ରହ ରଖିଥିବାରୁ OSMCL ଦ୍ୱାରା ଗ୍ଲୋବାଲ୍ ଇ-ଟେଣ୍ଡର ଜରିଆରେ ଟିକା କିଣିବାକୁ ନିଷ୍ପତ୍ତି ହୋଇଛି।