ସପିଂ ମଲରୁ ଚୋରି ଅଭିଯୋଗରେ ଜଣେ ଗିରଫ
ଝାରସୁଗୁଡା: ସପିଂ ମଲରୁ 2 ଲକ୍ଷ 60 ହଜାର ଟଙ୍କା ଚୋରି କରିବା ଅଭିଯୋଗରେ ମଲର କର୍ମଚାରୀ ଗିରଫ। ଜିଲ୍ଲାର ସରବାହାଲ ରୋଡରେ ଥିବା ଓ୍ୱେଷ୍ଟ ସାଇଡ ସପିଂ ମଲରେ ଏହି ଚୋରି ହୋଇଥିଲା। ଅଭିଯୁକ୍ତ ଜଣକ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଉଦୟପୁର ଗାଁର ଦେବ ନାୟକ ବୋଲି ଜଣାପଡିଛି।
ୱେଷ୍ଟ ସାଇଡ୍ ସପିଂ ମଲରୁ ଚୋରି ହେବା ପରେ ମଲର ଷ୍ଟୋର ମ୍ୟାନେଜର ସମୀର କୁମାର ବିଶ୍ୱାଳ ଏକ ଏଫଆଇଆର ଦାଖଲ କରିଥିଲେ। ଯେଉଁଥିରେ ସେ ଉଲ୍ଲେଖ କରିଥିଲେ, ଜୁଲାଇ 25ରେ ରାତିରେ କିଛି ଅଜ୍ଞାତ ବ୍ୟକ୍ତି ଦୋକାନର ପଛ କବାଟ ଭାଙ୍ଗି ସପିଂ ମଲରେ ପ୍ରବେଶ କରିଥିଲେ। ଏହା ପରେ 2.6 ଲକ୍ଷ ନଗଦ ଟଙ୍କା ସହିତ 4ଟି ସାମସଙ୍ଗର ଟ୍ୟାବଲେଟ୍, ସିସିଟିଭି ଡିଭିଆର ମେସିନ୍ ଏବଂ ଜିଓ ମୋଡେମ୍ ଚୋରି ହୋଇଛି। ପରେ ପୁଲିସ ଏହି ମାମଲାର ତଦନ୍ତ କରି ଗିରଫ କରିଛି।
ତଦନ୍ତ ବେଳେ ପୁଲିସ ପ୍ରଥମେ ଦେବ ନାୟକକୁ ସନ୍ଦେହ କରିଥିଲା। ଦେବ ସପିଂ ମଲରେ କୌଣସି କାରଣ ନଦର୍ଶାଇ ଛୁଟିରେ ଥିଲା। ଏହାପରେ ପୁଲିସ ଏହି 24 ବର୍ଷୀୟ ଯୁବକର ମୋବାଇଲ ନମ୍ୱରକୁ ଟ୍ରାକ କରିଥିଲା। ଏହାପରେ ଦେବକୁ ପୁରୀ ଜିଲ୍ଲାର ଡେଲାଙ୍ଗ ସ୍ଥିତ ଉଦୟପୁରରୁ ଗିରଫ କରିଥିଲା। ଗିରଫ ପରେ ଦେବ ସ୍ୱୀକାର କରିଛି ଯେ ସପିଂ ମଲରୁ ସେ ଚୋରି କରିଥିଲା। ନଗଦ 1 ଲକ୍ଷ 71 ହଜାର 040 ଟଙ୍କା ସହିତ 4ଟି ସାମସଙ୍ଗ ଟାବଲେଟ, ଗୋଟିଏ ସିସିଟିଭି ଡିଭିଆର ମେସିନ୍ ଏବଂ ଗୋଟିଏ ଜିଓ ମୋଡେମ୍ ସେ ଚୋରି କରିଥିବା ସ୍ୱୀକାର କରିଛି।