?????

ଦୁର୍ବଳ ହୋଇଛି କୋଭିଡ୍, ଦୈନିକ ପଜିଟିଭିଟି ହାର ରହିଛି ୨.୯୮%

ନୂଆଦିଲ୍ଲୀ: ଦେଶରେ ଦୈନିକ କୋଭିଡ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଶନିବାର ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦,୭୫୩ ନୂଆ କରୋନା ମାମଲା ଆସିଛି। କ୍ରମାଗତ ଗତ ୧୨ ଦିନ ଧରି ଦୈନିକ ନୂଆ ସଂକ୍ରମଣ ୧ ଲକ୍ଷ ତଳେ ରହୁଛି।

କରୋନା ଚିକିତ୍ସାଧୀନ ମାମଲା ମଧ୍ୟ ଭାରତରେ କ୍ରମାଗତ ଭାବେ ହ୍ରାସ ପାଉଛି। ଦେଶରେ ଏବେ ଚିକିତ୍ସାଧୀନ ସଂଖ୍ୟା ୭,୬୦,୦୧୯ ରହିଛି। ୭୪ ଦିନ ମଧ୍ୟରେ ଏହା ସର୍ବନିମ୍ନ ଚିକିତ୍ସାଧୀନ ମାମଲା। ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୩୮,୬୩୭ ହ୍ରାସ ହୋଇଛି ଏବଂ ଏବେ ସକ୍ରିୟ ମାମଲା ଦେଶର ମୋଟ ପଜିଟିଭ ମାମଲାର ମାତ୍ର ୨.୫୫% ରହିଛି ।

ଭାରତରେ ଦୈନିକ ଅଧିକରୁ ଅଧିକ ଲୋକ କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହେଉଥିବାରୁ ଗତ ୩୭ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ଆସୁଥିବା ନୂଆ ମାମଲା ତୁଳନାରେ ଅଧିକ ରହିଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୯୭,୭୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ଦୈନିକ ନୂଆ କରୋନା ମାମଲା ତୁଳନାରେ ଅଧିକ ପ୍ରାୟ ୩୭ ହଜାର (୩୬,୯୯୦) ଲୋକ ସୁସ୍ଥ ହୋଇପାରିଛନ୍ତି ।

କରୋନା ମହାମାରୀ ଆରମ୍ଭ ହେବା ପରେ ଏ ପର୍ଯ୍ୟନ୍ତ ୨,୮୬,୭୮,୩୯୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୯୭,୭୪୩ ଜଣ ସୁସ୍ଥ ହୋଇଛନ୍ତି । ଏହାଦ୍ୱାରା ଦେଶରେ ସୁସ୍ଥତା ହାର ୯୬.୧୬%କୁ ବୃଦ୍ଧି ପାଇଛି ଏବଂ ଏହା କ୍ରମାଗତ ବୃଦ୍ଧି ପାଉଛି ।

ଏକ ପକ୍ଷରେ ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି ପାଇଥିବା ବେଳେ ଅନ୍ୟ ପକ୍ଷରେ ସାପ୍ତାହିକ ପଜିଟିଭିଟି ହାର କ୍ରମାଗତ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ସାପ୍ତାହିକ ପଜିଟିଭିଟି ହାର ଏବେ ୩.୫୮% ରହିଛି ଏବଂ ଦୈନିକ ପଜିଟିଭିଟି ହାର ରହିଛି ୨.୯୮% । ଦୈନିକ ପଜିଟିଭିଟି ହାର ଗତ ୧୨ ଦିନ ଧରି ୫% ତଳେ ରହିଛି ।

Related Articles

Leave a Reply

Back to top button
error: Content is protected !!