ମାଡାମ୍ ମାଜିଷ୍ଟ୍ରେଟଙ୍କ ବିରୋଧରେ ବଢ଼ୁଛି ଆକ୍ରୋଶ, ଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ

ଝାରସୁଗୁଡା: ବୃଦ୍ଧ ବ୍ୟବସାୟୀଙ୍କୁ ମାଡ଼ ଘଟଣା ଏବେ ମାଡାମ୍ ମାଜିଷ୍ଟ୍ରେଟଙ୍କୁ ମହଙ୍ଗା ପଡ଼ିଛି। କୋଭିଡ୍ ଦାୟିତ୍ୱରେ ଥିବା ଝାରସୁଗୁଡ଼ାର ଅତିରିକ୍ତ ତହସିଲଦାର ଯୋଗୀତା ତିର୍କୀ ବୁଧବାର ଜଣେ ବୃଦ୍ଧ ତରଭୂଜ ବିକାଳୀ ଏବଂ ତାଙ୍କର ନାବାଳକ ପୁଅଙ୍କୁ ବାଡିରେ ମାଡ଼ ମାରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲା ହୋଇଥିଲା।
ଏନେଇ ବ୍ରଜରାଜନଗରର ସାମାଜିକ କର୍ମୀ ରବି ସୋନୀ ଶୁକ୍ରବାର ମାନବାଧିକାର କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି। ଫଳରେ ଜିଲା ପ୍ରଶାସନ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସାମାଜିକ ମିଡିଆରେ ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ଆକ୍ରୋଶ ବଢିବାରେ ଲାଗିଛି। ବିବେକହୀନ ମହିଳା ତହସିଲଦାରଙ୍କୁ ତୁରନ୍ତ ବରଖାସ୍ତ କରିବା ସହିତ ସଂପୃକ୍ତ ବୃଦ୍ଧ ବ୍ୟକ୍ତିଙ୍କୁ ସର୍ବସାଧାରଣରେ କ୍ଷମା ମାଗିବାକୁ ସାମାଜିକ ମିଡିଆରେ ଦାବି ହୋଇଛି।
ଅନ୍ୟପଟେ ଝାରସୁଗୁଡା ଜିଲାପାଳ ସରୋଜ କୁମାର ସାମଲ ଘଟଣାର ତଦନ୍ତ ପାଇଁ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ୨ ଦିନ ପରେ ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଜିଲା ପ୍ରଶାସନ ତରଫରୁ ମାଡ ଖାଇଥିବା ବୃଦ୍ଧ ବ୍ୟବସାୟୀ ଦେବେନ ଝା ଓ ତାଙ୍କର ନାବାଳକ ପୁଅଙ୍କୁ ଏକ ସ୍ବତନ୍ତ୍ର ଗାଡିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା।
ଏପରିକି ମାଜିଷ୍ଟ୍ରେଟ୍ ତଥା ଅତିରିକ୍ତ ତହସିଲଦାର ଯୋଗୀତା ତିର୍କୀଙ୍କୁ ମଧ୍ୟ କାର୍ଯ୍ୟାଳୟକୁ ଡକାଯାଇଥିଲା। ଉପ ଜିଲାପାଳ ଶିବ ଟପ୍ପୋ ପଚରାଉଚୁରା କରି ଉଭୟଙ୍କ ବୟାନ ରେକର୍ଡ କରିଥିଲେ। ଭାଇରାଲ୍ ଭିଡିଓରେ ମାଜିଷ୍ଟ୍ରେଟ୍ ବ୍ୟବସାୟୀଙ୍କୁ ବାଡିରେ ପିଟୁଥିବା ସ୍ପଷ୍ଟ ହୋଇଛି। ମାଜିଷ୍ଟ୍ରେଟ୍ ଜଣଙ୍କ ବ୍ୟବସାୟୀଙ୍କୁ କାହିଁକି ଏବଂ କେଉଁ ପରିସ୍ଥିତିରେ ମାଡ଼ ମାରିଥିଲେ ଏହାର ତଦନ୍ତ ଚାଲିଛି। ତଦନ୍ତ ପରେ ଜିଲାପାଳଙ୍କୁ ଏକ ରିପୋର୍ଟ ପ୍ରଦାନ କରାଯିବ। ପରେ ଜିଲ୍ଲାପାଳ ଯାହାକିଛି ପଦକ୍ଷେପ ନେବେ ବୋଲି ଉପ-ଜିଲ୍ଲାପାଳ ଶିବ ଟପ୍ପୋ କହିଛନ୍ତି।