ରାଜଧାନୀ ପରେ ଝାରସୁଗୁଡ଼ାରେ ଛାଇ ଆଲୁଅର ଖେଳ
ଝାରସଗୁଡା: ଶନିବାର ଜିଲ୍ଲାର ବେଲପାହଡ ସହରରେ ଛାଇ ଆଲୁଅରେ ଖେଳ ଭିତରେ ଉଭାନ ହୋଇଯାଇଥିଲା ଛାଇ। ମେ 21ରେ ଭୁବନେଶ୍ୱରରେ ମଧ୍ୟ ସମାନ ଛାଇ ଆଲୁଅର ଲୁଚକାଳି ଦେଖିବାକୁ ମିଳିଥିଲା। ଏହା ଏକ ବିରଳ ଘଟଣା ସମୟ ସମୟରେ ଦେଖିବାକୁ ମିଳେ। ଏହି ସମୟରେ କୌଣସି ବସ୍ତୁ କିମ୍ବା ଜିନିଷର ଛାଇ ଦେଖାଯାଏ ନାହିଁ। ତେବେ ଶନିବାର ଦେଖାଯାଇଥିବା ଏହି ଦୃଶ୍ୟରେ ସୂର୍ଯ୍ୟ ଠିକ ମୁଣ୍ଡ ଉପରେ ରହିବା ହେତୁ ଯେକୌଣସି ଲମ୍ବ ଆକାର ବସ୍ତୁର ଛାଇ ଆଦୌ ଦେଖାଗଲା ନାହିଁ। ଏହି ଘଟଣାକୁ ଜ୍ୟୋତିର୍ବିଜ୍ଞାନୀ ମାନେ ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଡେ ରୂପେ ନାମିତ ବୋଲି କୁହନ୍ତି।
ବର୍ଷକୁ ଦୁଇଥର ଏହି ଘଟଣା ଘଟେ ଯେତେବେଳେ ସୂର୍ଯ୍ୟ ଆକାଶର ସର୍ବୋଚ୍ଚ ସ୍ଥାନରେ ରହି କର୍କଟ ରେଖା ଏବଂ ମକର ରେଖା ଅଞ୍ଚଳରେ ଅବସ୍ଥିତ ଥାନ୍ତି। ସୂର୍ଯ୍ୟ ମୁଣ୍ଡ ଉପରେ ରହିଥିବାରୁ କାହାରି ଛାଇ ପଡ଼େ ନାହିଁ।
ଝାରସୁଗୁଡା ଜିଲ୍ଲାରେ ବେଲପାହାଡରେ ଶନିବାର ପ୍ରାୟ 3 ମିନିଟ୍ ପର୍ଯ୍ୟନ୍ତ ଏପରି ଦେଖିବାକୁ ମିଳିଥିଲା। ଦିନ 11ଟା 48ରୁ 11:51 ପର୍ଯ୍ୟନ୍ତ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା।