ବାତ୍ୟାରେ ଭାଙ୍ଗିଯାଇଥିବା ଘର ସମ୍ପର୍କରେ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

0
177
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାତ୍ୟା ୟସ୍‌ ପରବର୍ତ୍ତୀ ପୁନର୍ଗଠନ ଓ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ସମୀକ୍ଷା କରି ୭ ଦିନ ମଧ୍ୟରେ ପ୍ରଭାବିତ ଜିଲ୍ଲାରେ ଭାଙ୍ଗି ଯାଇଥିବା ଘର ସଂପର୍କରେ ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ରିଲିଫ, ପୁନର୍ଗଠନ ଓ ପୁନରୁଦ୍ଧାର ପ୍ରକ୍ରିୟା ଉପରେ ସମସ୍ତ ଧ୍ୟାନ କେନ୍ଦ୍ରୀତ କରିବାକୁ ପଡିବ। କ୍ଷତିଗ୍ରସ୍ତ ଜଳମଗ୍ନ ଅଞ୍ଚଳରେ ୭ ଦିନ ପାଇଁ ରିଲିଫ ଘୋଷଣା କରାଯାଇଛି ବୋଲି ପ୍ରକାଶ କରି ସମସ୍ତ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ପ୍ରକ୍ରିୟା ଖୁବଶୀଘ୍ର ସ୍ବାଭାବିକ କରିବା ପାଇଁ ପରାମର୍ଶ ଦେଇ ଆଜି ସଂଧ୍ୟା ସୁଦ୍ଧା ସମସ୍ତ ମୁଖ୍ୟ ସଡକ ଗୁଡିକ ଯାନବାହାନ ଚଳାଚଳ ପାଇଁ ଅବରୋଧମୁକ୍ତ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ।
ସେହିପରି ବୈତରଣୀ ନଦୀର ତଳ ଅଞ୍ଚଳରେ ବନ୍ୟା ଆସିବାର ସମ୍ଭାବନା ଥିବାରୁ ପ୍ରଶାସନ ସତର୍କ ଦୃଷ୍ଟି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ପରିଚାଳନାରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ବିଧିବଦ୍ଧ ଯୋଜନା ଏବଂ ତ୍ରୁଟିଶୂନ୍ୟ ପରିଚାଳନା ଯୋଗୁ ବାତ୍ୟାର ସଫଳ ମୁକାବିଲା କରାଯାଇ ପାରିଛି।
ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକର ସମସ୍ତ ଜନସାଧାରଣ, ନାଗରିକ ସଂଗଠନ ମାନଙ୍କୁ ରିଲିଫ ଓ ସ୍ଥାନାନ୍ତର କାର୍ଯ୍ୟରେ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। କେନ୍ଦ୍ର ସରକାର ଏବଂ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଯଥା NDRF, IMD ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସଂସ୍ଥାକୁ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।