ଝାରସୁଗୁଡ଼ାରେ ଦ୍ୱିତୀୟ କୋଭିଡ ହସ୍ପିଟାଲ, କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଲେ ଟଙ୍କଧର
ଝାରସୁଗୁଡା: ଜିଲ୍ଲାର ବନ୍ଧବାହାଲଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ମହାନଦୀ କୋଲ ଫିଲଡ (ଏମସିଏଲ) ସହଯୋଗରେ ୨୦ଟି ଆଇସିୟୁ ବେଡ୍ ସମେତ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍-୧୯ ହସ୍ପିଟାଲ ଆରମ୍ଭ ହେବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ବରଗଡ ସାଂସଦ ସୁରେଶ ପୂଜାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ।
ତ୍ରିପାଠୀ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ ଓ ପ୍ରତ୍ୟକ୍ଷ ତତ୍ୱାବଧାନ କାରଣରୁ ଆଜି ଏହା ସମ୍ଭବ ହୋଇପାରିଛି। ଗୋଟିଏ ପଟେ ରାଜ୍ୟ ସରକାର ପଶ୍ଚିମ ଓଡିଶାରେ କରୋନା ମୁକାବିଲାରେ ନିରବଦ୍ରଷ୍ଟା ସାଜିଥିବା ବେଳେ ଅନ୍ୟପଟେ କିନ୍ତୁ କେନ୍ଦ୍ର ସରକାର ପଶ୍ଚିମ ଓଡିଶାର ଲୋକଙ୍କ କଲ୍ୟାଣ ପାଇଁ ଅହରହ ଉଦ୍ୟମ କରୁଛନ୍ତି। ବିଶେଷଭାବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ କାରଣରୁ ପଶ୍ଚିମ ଓଡିଶାରେ କର୍ପୋରେଟ୍ ଅନୁଷ୍ଠାନ ଗୁଡିକଙ୍କ ସହଯୋଗରେ ବେଡ୍ ସଂଖ୍ୟା ବଢାଯାଉଛି।
କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ସଂକଟ ସମୟରେ ପଶ୍ଚିମ ଓଡିଶାରେ ସ୍ୱାସ୍ଥ୍ୟ ଭିତିଭୂମିକୁ ପ୍ରାଥମିକତା ଦିଆଯାଉଥିବା ବେଳେ ବନ୍ଧବାହାଲଠାରେ ଏମଏସିଏଲ ଦ୍ୱାରା କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ହେବା ସ୍ୱାଗତଯୋଗ୍ୟ । ଏହା ଦ୍ୱାରା ଝାରସୁଗୁଡାର ସାଧାରଣ, ଗରିବ ଓ ଅସହାୟ କରୋନା ରୋଗୀମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସର୍ବଦା ଓଡିଶା ତଥା ପଶ୍ଚିମ ଓଡିଶାକୁ ପ୍ରାଥମିକତା ଦେଉଛନ୍ତି । ଆଗାମୀ ଦିନରେ ମଧ୍ୟ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ କୋଭିଡ୍ ବେଡ୍ ସଂଖ୍ୟା ବୃଦ୍ଧି କରାଯାଉଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।