ନୂଆଖାଇରେ ଚାଷୀଙ୍କ ଆକାଉଣ୍ଟଙ୍କୁ ଗଲା ‘କାଳିଆ’ ଟଙ୍କା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ‘କାଳିଆ’ ଯୋଜନାରେ କ୍ଷୁଦ୍ର ଓ ଭୂମିହୀନ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ରାଜ୍ୟର ପ୍ରାୟ 41 ଲକ୍ଷ କ୍ଷୁଦ୍ର ଚାଷୀ ଓ 85 ହଜାର ଭୂମିହୀନ ଚାଷୀ ସରକାରଙ୍କ ‘କାଳିଆ’ ଯୋଜନାରେ ଆର୍ଥିକ ସହାୟତା ପାଇବେ।
କାଳିଆ ଯୋଜନା ଅନୁଯାୟୀ ପ୍ରତ୍ୟେକ ହିତାଧିକାରୀ ଚାଷୀଙ୍କ ଆକାଉଣ୍ଟରେ ସିଧାସଳଖ 2000 ଟଙ୍କା ଲେଖାଏଁ ଜମା କରାଯିବ। ଏଥିପାଇଁ ରାଜ୍ୟ ରାଜକୋଷରୁ 869 କୋଟି ଟଙ୍କା ଖର୍ଚ୍ଚ ହେବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଚାଷୀମାନେ ଓଡ଼ିଶାର ଗର୍ବ ଓ ଗୌରବ। କୃଷିଭିତ୍ତିକ ଉତ୍ସବ ‘ନୂଆଖାଇ’ ଅବସରରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ମୁଁ ଖୁସି ଅନୁଭବ କରୁଛି ବୋଲି ସେ କହିଛନ୍ତି।
ସରକାର ନିଜ ନୀତିରେ ଚାଷୀଙ୍କୁ ଅଗ୍ରାଧିକାର ଦେଇ ଆସୁଛନ୍ତି ବୋଲି ସେ କହିଛନ୍ତି, ମେ’ ମାସରେ ‘ଅକ୍ଷୟ ତୃତୀୟା’ ଅବସରରେ ରାଜ୍ୟ ସରକାର ଚାଷୀଙ୍କୁ 800 କୋଟି ଟଙ୍କା ମଞ୍ଜୁର କରିଥିବା ନବୀନ କହିଛନ୍ତି। ନିକଟରେ ହୋଇଥିବା ବନ୍ୟାରେ ଚାଷୀମାନେ ଯେଉଁ କ୍ଷତି ସହିଛନ୍ତି, ସେ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି । ସରକାର ଯେପରି ଆବଶ୍ୟକ ସହାୟତା ପ୍ରଦାନ କରିପାରିବେ ସେଥିପାଇଁ କ୍ଷୟକ୍ଷତି ଆକଳନ ରିପୋର୍ଟ ଶୀଘ୍ର ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।