ଘରେ ପଶି ମାରଣାସ୍ତ୍ର ଦେଖାଇ ଚୋରି କରୁଥିଲେ, ୫ ଅଭିଯୁକ୍ତ ଗିରଫ
ଝାରସୁଗୁଡ଼ା: ବୁଧବାର ବଢ଼େଇମୁଣ୍ଡାରେ ଏକ ଘରୁ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଝାରସୁଗୁଡ଼ା ପୁଲିସ ଗିରଫ କରିଛି। ପୋଲିସର ସୂଚନା ଅନୁସାରେ ମେ ୮ ତାରିଖ ଦିନ ବଢେଇମୁଣ୍ଡାର ଶାନ୍ତିନଗରର ବିଶ୍ୱାମିତ୍ର ପରୁଆଙ୍କ ଘରେ ଚୋରି ହୋଇଥିଲା। ଏ ନେଇ ବିଶ୍ୱାମିତ୍ର ଥାନାରେ ଏତଲା ଦେଇଥିଲେ । ସେହିପରି ଜୁଲାଇ ୨ ତାରିଖରେ ରାଜା ଦାସ ନାମକ ବ୍ୟକ୍ତି ମଧ୍ୟ ଚୋରି ଅଭିଯୋଗ ଆଣିଥିଲେ। ପରେ ପୋଲିସ ଏତଲା ଆଧାରରେ ତଦନ୍ତ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଛି।
ରାଜା ଦାସଙ୍କ ଅଭିଯୋଗ ଅନୁଯାୟୀ ସନ୍ଧ୍ୟାରେ ସମୟରେ ଭୁଜାଲି ଓ ଛୁରୀ ଦେଖାଇ ୩ ଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ। ଏହି ସମୟରେ ମାରଣାସ୍ତ୍ର ଦେଖାଇ ସୁନା ଅଳଙ୍କାର ଓ ଟଙ୍କା ଲୁଟ୍ କରିଥିଲେ। ଏ ନେଇ ସେ ଝାରସୁଗୁଡ଼ା ଥାନାରେ ଏକ ମାମଲା ରୁଜୁ କରିଥିଲେ। ଯାହାର ତଦନ୍ତ ଆରମ୍ଭ କରିଛି ପୋଲିସ।
ଝାରସୁଗୁଡା ଏସପିଙ୍କ ତତ୍ତ୍ୱାବଧାନରେ ଏହି ତଦନ୍ତ ହୋଇଛି। ୫ ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣ ଝାରସୁଗୁଡା, ବ୍ରଜରାଜନଗର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଭେଡବାହାଲ ଏବଂ ସୁନ୍ଦରଗଡ ଅଞ୍ଚଳର। ଏହି ଦୁଇ ଜଣ ଲୁଟ୍ ହୋଇଥିବା ଗହଣାକୁ ଗାଏବ କରିବାରେ ସହଯୋଗ କରୁଥିବା ଜଣାପଡିଥିଲା। ପୋଲିସ ଏବେ ଏମାନଙ୍କୁ କୋର୍ଟ ଚାଲାଣା କରିଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ବେଳେ ଟଙ୍କା ବ୍ୟତୀତ ଅନ୍ୟ ସମସ୍ତ କାଗଜପତ୍ର ଜବତ କରିଛି।
ତେବେ ଚୋରି ହୋଇଥିବା ସମସ୍ତ ଗହଣା ଏବଂ କାଗଜପତ୍ର ଜବତ ହୋଇଥିବା ବେଳେ ଟଙ୍କା କିନ୍ତୁ ସମୂର୍ଣ୍ଣ ଭାବେ ଜବତ ହୋଇପାରିନି ବୋଲି ସୂଚନା ରହିଛି।